ଅହମ୍ମଦାବାଦ: ଗୁଜରାଟ ହାଇକୋର୍ଟ ଆଶାରାମଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ଶୁକ୍ରବାର କୋର୍ଟ ୨୦୧୩ର ଏକ ଦୁଷ୍କର୍ମ ମାମଲାରେ ଆଶାରାମଙ୍କ ଅସ୍ଥାୟୀ ଜାମିନ ଅବଧିକୁ ଜୁଲାଇ ୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଆଶାରାମ ଏହି ମାମଲାରେ ଆଜୀବନ ସଜା କାଟୁଛନ୍ତି।
ଜଷ୍ଟିସ ଇଲେଶ ଭୋରା ଏବଂ ଜଷ୍ଟିସ ସନ୍ଦୀପ ଭଟ୍ଟଙ୍କ ଏକ ଡିଭିଜନ ବେଞ୍ଚ ଆବେଦନର ଶୁଣାଣି ସମୟରେ ଆଶାରାମଙ୍କ ଅସ୍ଥାୟୀ ଜାମିନକୁ ତିନି ମାସ ପାଇଁ ବୃଦ୍ଧି କରିଥିଲେ। ପୂର୍ବରୁ ମାର୍ଚ୍ଚ ୨୮ରେ ତାଙ୍କୁ ତିନି ମାସ ପାଇଁ ଜାମିନ ଦିଆଯାଇଥିଲା। ସ୍ୱାସ୍ଥ୍ୟଗତ କାରଣରୁ ଆଶାରାମ (୮୬) ଜାମିନରେ ଅଛନ୍ତି।
ଗାନ୍ଧୀନଗରର ଏକ କୋର୍ଟ ୨୦୨୩ ଜାନୁଆରୀରେ ଦୁଷ୍କର୍ମ ମାମଲାରେ ଆଶାରାମଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୧୩ ମସିହାରେ ରାଜସ୍ଥାନର ତାଙ୍କ ଆଶ୍ରମରେ ଜଣେ ନାବାଳିକାଙ୍କ ସହ ଯୌନ ନିର୍ଯାତନା ମାମଲାରେ ସେ ଫସିଥିଲେ। ସେହିପରି ୨୦୦୧ରୁ ୨୦୦୬ ମଧ୍ୟରେ ସୁରଟର ଜଣେ ମହିଳା ଅନୁଗାମୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଥିଲେ।