ନୂଆଦିଲ୍ଲୀ: ଗଞ୍ଜାମ ଜିଲ୍ଲାରେ ଅନୁସୂଚିତ ଜାତିର ଦୁଇଜଣ ବ୍ୟକ୍ତିଙ୍କ ଉପରେ ହୋଇଥିବା ଅମାନବୀୟ ଅତ୍ୟାଚାର ସମ୍ପର୍କିତ ଖବରକୁ ଭିତ୍ତିକରି ଜାତୀୟ ମାନବାଧିକାର କମିଶନ (ଏନ୍ଏଚ୍ଆର୍ସି) ନିଜଆଡ଼ୁ ମାମଲା ରୁଜୁ କରିଛି। ଏହି ଘଟଣାରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କୁ ନୋଟିସ ଜାରି କରି କମିଶନ ୨ ସପ୍ତାହ ମଧ୍ୟରେ ରିପୋର୍ଟ ତଲବ କରିଛନ୍ତି।
ଜୁନ୍ ୨୬ ତାରିଖରେ ପ୍ରକାଶିତ ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଗଞ୍ଜାମ ଜିଲ୍ଲାରେ ଦୁଇଜଣ ଅନୁସୂଚିତ ଜାତି ବର୍ଗର ଯୁବକଙ୍କୁ ବେଆଇନ ଗୋରୁ ଚାଲାଣ ଅଭିଯୋଗରେ ମାଡ଼ ମାରିବା, ଘାସ ଖୁଆଇବା ଏବଂ ନାଳ ପାଣି ପିଇବାକୁ ବାଧ୍ୟ କରାଯାଇଥିଲା। ଏପରିକି ସେମାନଙ୍କ ମୋବାଇଲ୍ ଫୋନ୍ ମଧ୍ୟ ଛଡ଼ାଇ ନିଆଯାଇଥିଲା ଏବଂ ସେମାନଙ୍କୁ ଜୋରଜବରଦସ୍ତି ଲଣ୍ଡା ମଧ୍ୟ କରାଯାଇଥିଲା।
ନିଜ ରିପୋର୍ଟରେ ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକ ଅପରାଧୀଙ୍କ ବିରୁଦ୍ଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଏବଂ ଉଭୟ ପୀଡ଼ିତଙ୍କୁ ଯଦି କିଛି କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି ସେ ବିଷୟରେ ଉଲ୍ଲେଖ କରିବାକୁ ମଧ୍ୟ କହିଛନ୍ତି।