ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡା ୨୦୨୫: ଗତ ୩ଦିନରେ ଓଡିଶା ପୋଲିସର ୬ସ୍ଵର୍ଣ୍ଣ ପଦକ ହାସଲ

ଭୁବନେଶ୍ବର: ଯୁକ୍ତରାଷ୍ଟ୍ର ଆମେରିକାର ବିର୍ମିଂହାମରେ ଅନୁଷ୍ଠିତ ହୋଇଥିବା ପ୍ରତିଷ୍ଠିତ ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡା ୨୦୨୫ରେ ଓଡ଼ିଶା ପୋଲିସର କ୍ରୀଡାବିତମାନେ ନିରନ୍ତର ଭାବେ ସଫଳତା ହାସଲ କରି ଚାଲିଛନ୍ତି। ଏହିକ୍ରମରେ ଆଜି ୨ ଜଣ ଯୁବ କ୍ରୀଡାବିତ କରାଟେରେ  ରିତେଶ ରାୟ ସ୍ୱର୍ଣ୍ଣ ପଦକ ଏବଂ  ଅଭିଷେକ ପଟ୍ଟନାୟକ ବ୍ରୋଞ୍ଚ  ପଦକ ବିଜୟୀ ହୋଇ ଓଡିଶା ପୋଲିସକୁ ଗୌରବାନ୍ଵିତ କରିଛନ୍ତି। ଓଡିଶା ପୋଲିସର କ୍ରୀଡ଼ାବିତମାନେ ଗତ ତିନି ଦିନ ମଧ୍ୟରେ ୬ଟି ସ୍ଵର୍ଣ୍ଣ ପଦକ, ଗୋଟିଏ ରୌପ୍ୟ ପଦକ ଓ ଗୋଟିଏ ବ୍ରୋଞ୍ଚ ପଦକ ବିଜୟୀ ହୋଇ ଐତିହାସିକ ସଫଳତା ଲାଭ କରିଛନ୍ତି।
କନଷ୍ଟେବଳ  ରିତେଶ ରାୟ କରାଟେ (୮୪ କେଜି) ବର୍ଗରେ ସ୍ୱର୍ଣ୍ଣ ପଦକ  ଏବଂ କନଷ୍ଟେବଳ  ଅଭିଷେକ ପଟ୍ଟନାୟକ କରାଟେ (ପୁରୁଷ) ବର୍ଗରେ ବ୍ରୋଞ୍ଚ  ପଦକ ହାସଲ କରିଛନ୍ତି  । ଉଭୟଙ୍କ ଏହି ସଫଳତାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ କ୍ରୀଡ଼ାବିତଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।
ଉଭୟ ରିତେଶ ଓ ଅଭିଷେକ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଅସାଧାରଣ କ୍ରୀଡା କୌଶଳ ପ୍ରଦର୍ଶନ କରିବା ସହ ଓଡ଼ିଶା ପୋଲିସର ସୁନାମ ବଢ଼ାଇଛନ୍ତି।
ସୂଚନାମୁତାବକ, ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡା ପ୍ରତି ଦୁଇ ବର୍ଷରେ ଅନୁଷ୍ଠିତ ହୋଇଥାଏ ।  ଯେଉଁଥିରେ ପୋଲିସ, ଅଗ୍ନିଶମ ଏବଂ ବିଶ୍ୱର ଅନ୍ୟାନ୍ୟ ସାର୍ବଜନୀନ ସୁରକ୍ଷା ସଂସ୍ଥାର ହଜାର ହଜାର ଖେଳାଳି ଅଂଶଗ୍ରହଣ କରିଥାନ୍ତି।
Leave A Reply

Your email address will not be published.