ମୁମ୍ବାଇ: ମହାରାଷ୍ଟ୍ରର ପାଲଘର ଜିଲ୍ଲାର ଭିରାର ଅଞ୍ଚଳର ଜଣେ ଅଟୋ ଡ୍ରାଇଭରଙ୍କୁ ଶିବସେନା କର୍ମୀ ଓ ମହାରାଷ୍ଟ୍ର ନବନିର୍ମାଣ ସେନାର କର୍ମୀମାନେ ମାଡ଼ ମାରିବା ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।
କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ଭବେଶ ପାଡୋଲିଆ ନାମକ ଜଣେ ବ୍ୟକ୍ତି ଜଣେ ଅଟେ ଡ଼୍ରାଇଭରଙ୍କୁ ମରାଠୀ ଭାଷାରେ କଥା ହେବାକୁ କହିଥିଲେ। ଯାହାର ଜବାବ ଦେବାକୁ ଯାଇ ଡ଼୍ରାଇଭର ଜଣକ କହିଥିଲେ ଯେ ମୁଁ ମରାଠୀ ନୁହେଁ ବରଂ ହିନ୍ଦୀ କିମ୍ବା ଭୋଜପୁରୀରେ କଥା ହେବି। ଏହି ଭିଡିଓ ଭାଇରାଲ ହେବା ପରେ ଶନିବାର ଦିନ ତାଙ୍କୁ ଶିବସେନା ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନାର କିଛି କର୍ମୀ ଭିରାର ଷ୍ଟେସନରେ ଡ୍ରାଇଭରଙ୍କୁ ଘେରି ସମସ୍ତଙ୍କ ସାମ୍ନାରେ ଚାପୁଡ଼ା ମାରିଥିଲେ ଯେଉଁଥିରେ ମହିଳାମାନେ ମଧ୍ୟ ସାମିଲ ଥିଲେ।
ଏହି ସମୟରେ ଶିବସେନାର ଭିରାର ନଗର ମୁଖ୍ୟ ଉଦୟ ଜାଧବ ମଧ୍ୟ ଉପସ୍ଥିତ ଥିଲେ। ଏପରିକି ଯଦି କେହି ମହାରାଷ୍ଟ୍ର, ମରାଠୀ ଭାଷା କିମ୍ବା ମରାଠୀ ମାନଙ୍କୁ ଅପମାନ କରନ୍ତି ତେବେ ତାଙ୍କୁ କେବେ ବି କ୍ଷମା କରାଯିବ ନାହିଁ ବୋଲି ସେ କହିବାକୁ ପଛାଇ ନଥିଲେ।
ତେବେ ଉଭୟ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ନ ହୋଇଥିବାରୁ ଏହି ମାମଲାରେ ପୋଲିସ ମାମଲା ରୁଜୁ ହୋଇନଥିବା ଜଣାପଡ଼ିଛି। ତେବେ ଆଗରୁ ମଧ୍ୟ ମରାଠୀ ଭାଷାକୁ ନେଇ ଏପରି ଘଟଣା ଘଟିସାରିଛି। ଏହା ପୂର୍ବରୁ ଜୁଲାଇ ୧ରେ ମହାରାଷ୍ଟ୍ର ନବନିର୍ମାଣ ସେନାର କର୍ମୀମାନେ ଥାନରେ ଜଣେ ଷ୍ଟ୍ରିଟ୍ ଫୁଡ୍ ବିକ୍ରେତାଙ୍କୁ ଚାପୁଡ଼ା ମାରିଥିଲେ କାରଣ ସେ ମରାଠୀ ଭାଷାରେ କଥାବାର୍ତ୍ତା ହେଉନଥିଲେ।ଯାହାପରେ ବ୍ୟବସାୟୀ ମାନେ ପ୍ରତିବାଦ ମଧ୍ୟ କରିଥିଲେ।