ରାକ୍ଷୀ ପୂର୍ଣ୍ଣିମାରେ ହିତାଧିକାରୀଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା, ସରକାର ଦେବେ ୩ୟ କିସ୍ତି

ଭୁବନେଶ୍ୱର: ଆଜି ହିତାଧିକାରୀଙ୍କୁ ମିଳିବ ‘ସୁଭଦ୍ରା’ଟଙ୍କା। ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଆଜି ଜୟପୁରରୁ ଆରମ୍ଭ ହେବ ସୁଭଦ୍ରାର ତୃତୀୟ କିସ୍ତି। କୋରାପୁଟ ଜିଲାର ଜୟପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଟମ ଦବାଇ ୧ କୋଟିରୁ ଊର୍ଦ୍ଧ୍ବ ସୁଭଦ୍ରା ଭଉଣୀଙ୍କୁ ତୃତୀୟ କିସ୍ତିର ୫ ହଜାର ଟଙ୍କା ଲେଖାଏଁ ବ୍ୟାଙ୍କ ଖାତାକୁ ପ୍ରଦାନ କରିବେ।

 

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆଜି ଜୟପୁରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରହିଛି। ଜୟପୁର ବାଙ୍କବିଜାରେ ମହିଳା ମାନଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ। ପାରାବେଡା ସ୍ୱରସ୍ୱତୀ ବିଦ୍ୟା ମନ୍ଦିରରେ କୁନିକୁନି ପିଲାଙ୍କ ହାତରୁ ରାକ୍ଷୀ ପିନ୍ଧି ସୁରକ୍ଷାର ବାର୍ତ୍ତା ଦେବେ ମୁଖ୍ୟମନ୍ତ୍ରୀ। ଜିଲ୍ଲାର ଦୁଇ ହଜାରରୁ ଅଧିକ ମହିଳା ଆଜି ଏହି ଯୋଜନା ସହ ଯୋଡି ହେବେ। ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର କାର୍ଯ୍ୟକ୍ରମ ପାଇଁ ଜୟପୁରରେ ୩୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଆଜି ରାଜ୍ୟର ୧ କୋଟି ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ ୫ ହଜାର କୋଟି ଟଙ୍କା।

ସୁଭାଦ୍ରା ତୃତୀୟ କିସ୍ତି ପ୍ରଦାନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା କୋରାପୁଟ ଜିଲା ଗସ୍ତ ଅବସରରେ କୋଟିଆ ଗାଁକୁ ଯାଇଛନ୍ତି। କୋଟିଆର ପ୍ରତି ଘରେ ହିତାଧିକାରୀଙ୍କ ପାଖରେ କିପରି ସୁଭଦ୍ରା ଟଙ୍କା ପହଞ୍ଚିବ ସେଥିପ୍ରତି ଦୃ‌ଷ୍ଟି ଦେଇଛନ୍ତି। ଅନ୍ୟପଟେ ଯେଉଁମାନେ ୨୧ ବର୍ଷ ହୋଇ ଯାଇଥିବେ, ସେମାନେ ବି କରି ପାରିବେ ଆବେଦନ। କିନ୍ତୁ ଗତ କିଛି ଦିନ ହେବ ସୁଭଦ୍ରା ପୋର୍ଟାଲ ଖୋଲୁନଥିବାରୁ କେତେକ ଯୋଗ୍ୟ ହିତାଧିକାରୀ ଆବେଦନ କରିପାରୁନାହାନ୍ତି। ତେବେ ଏବେ ସୁଭଦ୍ରା ପୋର୍ଟାଲ ପୁଣି ଖୋଲିବା ନେଇ ଘୋଷଣା କରିସାରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଯେଉଁମାନେ ପାଇନାହାନ୍ତି ଓ କାହିଁକି କଟିଛି ଜାଣିବାକୁ ଚାହୁଁଛନ୍ତି ସେମାନେ ୱେବ୍‌ସାଇଟକୁ ଯାଇ ଏହାର କାରଣ ଜାଣିପାରିବେ। ସୁଭଦ୍ରା ପୋର୍ଟାଲରେ ଏ ନେଇ ନୂଆ ଫିଚର ଆସିଛି।

Leave A Reply

Your email address will not be published.