ପୁରୀ: ପୋଲିସ ହାତରେ ବନ୍ଧା ହେଲେ ନକଲି ଗୁମାସ୍ତା। ପୁରୀ ସିଂହଦ୍ଵାର ଓ ଟାଉନ ଥାନା ପୋଲିସ ୧୨ ଜଣ ନକଲି ଗୁମାସ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବିଏନଏସ୍ ଧାରା ୧୧୧ ଅନୁଯାୟୀ ଏହି ନକଲି ଗୁମାସ୍ତାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ କୁ ପଠାଇ ଦିଆଯାଇଛି। ଅଭିଯୁକ୍ତଙ୍କ ଠାରୁ ପୋଲିସ ୨୦ ହଜାର ଟଙ୍କା ସହିତ ୧୪ ଟି ମୋବାଇଲ ଫୋନ୍ ଜବତ କରିଛି।
ଶ୍ରୀମନ୍ଦିରକୁ ଆସୁଥିବା ଯାତ୍ରୀ, ଶ୍ରଦ୍ଧାଳୁଙ୍କ ସୁରକ୍ଷା ସହିତ ସୁବିଧାରେ ଦର୍ଶନ ଏବଂ ଠକାମୀର ଯେଭଳି ଶିକାର ନହେବେ ସେ ଦିଗରେ ପୋଲିସ ବିଶେଷ ଦୃଷ୍ଟି ଦେଇଛି। ଗିରଫ ହୋଇଥିବା ନକଲି ଗୁମାସ୍ତାଙ୍କ ପାଖରେ କୌଣସି ପରିଚୟ ପତ୍ର ନଥିବାବେଳେ ବେଆଇନ୍ ଭାବେ ଏମାନେ ଗୁମାସ୍ତା କାର୍ଯ୍ୟ କରୁଥିଲେ ବୋଲି ପୋଲିସ କହିଛି। ଆଗକୁ ମଧ୍ୟ ପୋଲିସ ପକ୍ଷରୁ ଏହି ଧରପଗଡ ଅଭିଯାନ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।