ଓଡିଶା ପୋଲିସର ୪୧ ଜଣ ଶ୍ରେଷ୍ଠ କ୍ରୀଡ଼ାବିତ ସମ୍ବର୍ଦ୍ଧିତ

କଟକ: କିମ୍ବଦନ୍ତୀ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଆଜି ଜନ୍ମ ଦିନ ତଥା ଜାତୀୟ କ୍ରୀଡା ଦିବସ । ଏହି ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଓଡିଶା ପୋଲିସର ୪୧ ଜଣ ଶ୍ରେଷ୍ଠ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । କଟକ ଆଇପିଏସ ମେସସ୍ଥିତ ଆର.କେ. ପାଢ଼ୀ ମେମୋରିଆଲ ହଲ୍ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସମାରୋହରେ ଡିଜିପି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡିଶା ପୋଲିସର କ୍ରୀଡ଼ାବିତଙ୍କ ଉଚ୍ଚ ପ୍ରଶଂସା କରିବା ସହ ସେମାନଙ୍କ ଅସାଧାରଣ ପ୍ରତିଭା ଏବଂ କ୍ରୀଡ଼ା ଉତ୍କର୍ଷତାର ଭୁୟସୀ ପ୍ରଶଂସା କରିଥିଲେ । ଏଥି ନିମନ୍ତେ ବିଗତ ଦିନରେ ସାରା ଦେଶରେ ଓଡିଶା ପୋଲିସର ସୁନାମ ବୃଦ୍ଧି ପାଇଥିବାରୁ ସେ ଖୁସିବ୍ୟକ୍ତ କରିଥିଲେ ।

ଏହି ସମ୍ବର୍ଦ୍ଧନା ସମାରୋହ ଓଡ଼ିଶାର ଯୁବ ପ୍ରତିଭାମାନଙ୍କୁ କ୍ରୀଡ଼ା ପ୍ରତି ଆକୃଷ୍ଟ କରିବା ସହ ଭବିଷ୍ୟତରେ ନୂଆ ମାଇଲଖୁଣ୍ଟ ହାସଲ କରିବା ପାଇଁ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।

ଏହି ଅବସରରେ ଆମେରିକାର ବିର୍ମିଂହାମ ଠାରେ ଅନୁଷ୍ଠିତ ହେଇଥିବା ବିଶ୍ଵ ପୋଲିସ ଏବଂ ଅଗ୍ନିଶମ କ୍ରୀଡା ଭଳି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଓଡ଼ିଶା ପୋଲିସର ୭ ଜଣ କ୍ରୀଡାବିତଙ୍କ ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ମଧ୍ୟ ଡିଜିପି ଉଲ୍ଲେଖ କରିଥିଲେ । ଏହି କ୍ରୀଡ଼ାବିତମାନେ ନିଜର ଦକ୍ଷତା ପ୍ରତିପାଦନ କରି ୧୩ ଗୋଟି ସ୍ଵର୍ଣ୍ଣ, ୩ ଗୋଟି ରୌପ୍ୟ ଏବଂ ୪ ଗୋଟି କାଂସ୍ୟ ପଦକ ବିଜୟ ହୋଇ ଖେଳ ଜଗତରେ ନୂଆ ଇତିହାସ ସୃଷ୍ଟି କରିବା ସହିତ ଓଡ଼ିଶା ପୋଲିସକୁ ଗୌରବମଣ୍ଡିତ କରିଛନ୍ତି ବୋଲି ସେ କହିଥିଲେ ।

ଆଗାମୀ ଦିନରେ ମଧ୍ୟ ଅନ୍ୟ କ୍ରୀଡ଼ାବିତମାନେ ମଧ୍ୟ ଜାତୀୟ ତଥା ଅନ୍ତର୍ଜାତୀୟ କ୍ରୀଡା କ୍ଷେତ୍ରରେ ଅଂଶଗ୍ରହଣ କରି ଓଡିଶା ପୋଲିସର ଗୌରବ ବୃଦ୍ଧି କରିବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।

ଆଜିର ଏହି ସମ୍ବର୍ଦ୍ଧନା ସମାରୋହରେ ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମବ୍ରାଞ୍ଚ) ବିନୟତୋଷ ମିଶ୍ର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ନକ୍ସଲ ବିରୋଧୀ ଅପରେସନ) ସଂଜୀବ ପଣ୍ଡା, ନିର୍ଦ୍ଦେଶକ (ଏସଏଫଏସଏଲ) ଡ଼ ସନ୍ତୋଷ ଵାଲା, ପରିବହନ କମିଶନର ଅମିତାଭ ଠାକୁର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ସଶସ୍ତ୍ର) ରାଜେଶ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ପ୍ରତୀକ ମହାନ୍ତି,ଆଇଜିପି, ସତୀଶ ଗଜଭିୟେ, ଆଇଜିପି ପ୍ରବୀଣ କୁମାର, ଡିଆଇଜିପି( କେନ୍ଦ୍ରାଞ୍ଚଳ) ଡ଼ଃ ସତ୍ୟଜିତ ନାଏକ, ଡିଆଇଜିପି (ପ୍ରୋଭିଜନିଙ୍ଗ) ଚରଣ ସିଂ ମିନା, ଡିଆଇଜିପି, (କାର୍ମିକ) ଯୁଗଳ କିଶୋର କୁମାର ବନଥ, ଡିଆଇଜିପି (କ୍ରାଇମବ୍ରାଞ୍ଚ) ବି. ଗଙ୍ଗାଧରଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀଗଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.