ଫିରିଙ୍ଗିଆ: କନ୍ଧମାଳ ଫିରିଙ୍ଗିଆ ବ୍ଲକର ଏକ ଆଶ୍ରମ ସ୍କୁଲରେ ଆଠ ଜଣ ଛାତ୍ରଙ୍କ ଆଖିରେ ଅନ୍ୟ ଛାତ୍ରମାନେ ଫେଭିକ୍ୱିକ୍ ଲଗାଇ ଦେଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, କିଛି ଛାତ୍ର ରାତିରେ ଶୋଇଥିବା ସମୟରେ ସେମାନଙ୍କ ଆଖିପତାରେ ଅନ୍ୟ ସହପାଠୀ ଅଠା ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ସାଲାଗୁଡ଼ା ଗାଁରେ ଅବସ୍ଥିତ ଆଶ୍ରମ ସ୍କୁଲରେ ଘଟିଛି ଏହି ଘଟଣା। ଆଜି ସକାଳେ ଛାତ୍ରମାନେ ଉଠିବା ପରେ ସେମାନେ ଆଖି ଖୋଲିପାରି ନଥିଲେ ଏବଂ ଭୟଭୀତ ହୋଇ ଚିତ୍କାର କରିଥିଲେ। ସେମାନଙ୍କ ଚିତ୍କାର ଶୁଣି ତୁରନ୍ତ ସମସ୍ତେ ଦୌଡ଼ି ଆସିଥିଲେ।
ପରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା। ତେବେ ସେମାନଙ୍କ ଅବସ୍ଥା ଏବେ ସ୍ଥିର ଥିବା କୁହାଯାଉଛି। କିନ୍ତୁ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚିନ୍ତା ସୃଷ୍ଟି କରିଛି।