ନୂଆଦିଲ୍ଲୀ: ମଣିପୁରରେ ଜାତିଗତ ସଂଘର୍ଷର ଦୁଇ ବର୍ଷରୁ ଅଧିକ ସମୟ ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁରରେ ପହଞ୍ଚିଛନ୍ତି । ମଣିପୁର ବିମାନମନ୍ଦରରେ ପହଞ୍ଚି ପ୍ରଧାନମନ୍ତ୍ରୀ ମୋଦି ସିଧା ଚୁରାଚାନ୍ଦପୁରରେ ସେମାନଙ୍କ ଘରୁ ବିସ୍ଥାପିତ ହୋଇଥିବା ପୀଡିତାଙ୍କୁ ଭେଟିଛନ୍ତି । ଯାହା ୨୦୨୩ ହିସାଂ କେନ୍ଦ୍ରସ୍ଥଳ ଥିବା ବେଳେ ଏଥିରେ ପ୍ରାୟ ୨୬୦ ଜଣଙ୍କର ମୃତ୍ୟୁ ହୋଇଥିଲା।
ଏଥିସହିତ ମୋଦି ମଣିପୁରରେ ପହଞ୍ଚିବା ପରେ ପ୍ରବଳ ବର୍ଷା ଯୋଗୁଁ ଇମ୍ଫାଲ ବିମାନବନ୍ଦରରୁ ୬୫ କିଲୋମିଟର ରାସ୍ତା ଯୋଗେ ଯାତ୍ରା କରି, ଚୁରାଚାନ୍ଦପୁରର ଶାନ୍ତି ଭୂମିରେ ରିଲିଫ୍ ଶିବିରରେ ବୃଦ୍ଧ ଏବଂ ପିଲାମାନଙ୍କ ସହିତ ଆଲୋଚନା କରିଥିଲେ ମୋଦି । ଯାହା ମଣିପୁର ଶାନ୍ତି ନେଇ ଏକ ବଡ ବାର୍ତ୍ତା । ତାଙ୍କ ସହିତ ରାଜ୍ୟପାଳ ଅଜୟ କୁମାର ଭଲ୍ଲା ମଧ୍ୟ ଉପସ୍ଥିତ ଥିଲେ। ଆଜି ମୋଦି ଚୁରାଚାନ୍ଦପୁରରେ, ୭୩୦୦ କୋଟି ଟଙ୍କାର ୧୪ଟି ପ୍ରମୁଖ ବିକାଶ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିଥିଲେ, ଯେଉଁଥିରେ ଡ୍ରେନେଜ୍ ସୁବିଧା, ମହିଳା ଛାତ୍ରାବାସ, ସ୍କୁଲ ଏବଂ ସୁପର-ସ୍ପେଶାଲିଟି ସ୍ୱାସ୍ଥ୍ୟସେବା ସୁବିଧା ଅନ୍ତର୍ଭୁକ୍ତ।
ତେବେ ମୋଦି ପହଞ୍ଚିଥିବା ଚୁରାଚାନ୍ଦପୁର, ମୁଖ୍ୟତଃ କୁକି-ଜୋ ଲୋକଙ୍କ ବାସସ୍ଥାନ ଥିଲା । ଯେଉଁଠାରେ ଅନୁସୂଚିତ ଜନଜାତି ମାନ୍ୟତା ପାଇଁ ମୈତୀମାନଙ୍କ ଦାବି ବିରୁଦ୍ଧରେ ଏକ ଆଦିବାସୀ ଗୋଷ୍ଠୀ ଦ୍ୱାରା ଏକ ରାଲି ସମୟରେ ପ୍ରଥମେ ହିଂସା ଆରମ୍ଭ ହୋଇଥିଲା। କୁକି-ଜୋ ଗୋଷ୍ଠୀଗୁଡ଼ିକ ଦାବି କରିଛନ୍ତି ଯେ ପାହାଡ଼ି ଜିଲ୍ଲାଗୁଡ଼ିକୁ, ଯେଉଁଠାରେ ସେମାନେ ବହୁଳ ମାତ୍ରାରେ ବସବାସ କରନ୍ତି, ଏକ ପୃଥକ କେନ୍ଦ୍ରଶାସିତ ଅଞ୍ଚଳ କରାଯାଉ। ଅନ୍ୟପଟେ ଇମ୍ଫାଲ ଉପତ୍ୟକାରେ ମୈତୀମାନେ ବହୁଳ। ଯାହାକୁ ନେଇ ଜାତିଗତ ସଂଘର୍ଷ ଛିଡିଥିଲା । ମୈତେଇ ଏବଂ କୁକି-ଜୋ ଲୋକଙ୍କ ମଧ୍ୟରେ ୩ ମେ, ୨୦୨୩ ରେ ଘଟିଥିବା ସଂଘର୍ଷରେ ଶହ ଶହ ଆହତ ଏବଂ ୬୦,୦୦୦ ରୁ ଅଧିକ ଲୋକ ବାସଚ୍ୟୁତ ହୋଇଛନ୍ତି। ତେବେ ମଣିପୁରରେ ଯେ ସଂପୂର୍ଣ୍ଣ ହିଂସା ଥମିଯାଇଛି ତାହା ନୁହେଁ, ଗତ ଦୁଇ ବର୍ଷ ମଧ୍ୟରେ, ପର୍ଯ୍ୟାୟକ୍ରମେ ହିଂସା ଦେଖାଦେଇଛି, ଯାହା ଫଳରେ ଏନ ବୀରେନ ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ଫେବୃଆରୀ ୧୩ ରୁ ରାଷ୍ଟ୍ରପତି ଶାସନ ଲାଗୁ କରିଛନ୍ତି।
ଆଉ ଆଜି ଦୁଇ ବର୍ଷ ପରେ ପ୍ରଧାନମନ୍ତ୍ରୀ ମୋଦି ମଣିପୁର ଗସ୍ତରେ ଯାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରବର୍ତ୍ତୀ ରହଣି ମେଇତେଇ-ବହୁଳ ଇମ୍ଫାଲ ହେବ, ଯେଉଁଠାରେ ସେ ସଂଘର୍ଷ ଦ୍ୱାରା ବିସ୍ଥାପିତ ଲୋକଙ୍କୁ ଭେଟିବେ। ସହର ସାରା ହଜାର ହଜାର କୁକିଙ୍କୁ ରିଲିଫ୍ ଶିବିରରେ ରଖାଯାଇଛି। ପ୍ରଧାନମନ୍ତ୍ରୀ ୧୨୦୦ କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପ ମଧ୍ୟ ଉଦଘାଟନ କରିବେ ଏବଂ ଇମ୍ଫାଲର ଐତିହାସିକ କାଙ୍ଗଲା ଦୁର୍ଗରେ ଏକ ସମାବେଶକୁ ସମ୍ବୋଧିତ କରିବେ। କାଙ୍ଗଲା ଦୁର୍ଗ ପୂର୍ବ ମଣିପୁର ରାଜ୍ୟର ଶକ୍ତି କେନ୍ଦ୍ର ଥିଲା।
ତେବେ ମୋଦିଙ୍କ ଗସ୍ତ ପୂର୍ବରୁ “ମଣିପୁର କେବଳ ଏକ ସୀମାନ୍ତ ରାଜ୍ୟ ନୁହେଁ ବରଂ ଭାରତର ପୂର୍ବ ଦିଗରେ କାର୍ଯ୍ୟ କରିବା ନୀତିର ଏକ କେନ୍ଦ୍ରୀୟ ସ୍ତମ୍ଭ, ଦକ୍ଷିଣ-ପୂର୍ବ ଏସିଆର ପ୍ରବେଶ ଦ୍ୱାର ଏବଂ ଭାରତର ବିବିଧତାର ଗର୍ବିତ ପ୍ରହରୀ,” ବୋଲି କହି ମୋଦିଙ୍କ ଗସ୍ତର ଗୁରୁତ୍ୱ ନେଇ ମତ ରଖିଥିଲେ ମଣିପୁରର ମୁଖ୍ୟ ସଚିବ ପୁନିତ ଗୋଏଲ ।
ଅପରପକ୍ଷେ ହିଂସା ଆରମ୍ଭ ହେବାର ଦୁଇ ବର୍ଷ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂଘର୍ଷଗ୍ରସ୍ତ ରାଜ୍ୟ ଗସ୍ତକୁ ବିରୋଧୀ ଦଳ କଠୋର ସମାଲୋଚନା କରିଛନ୍ତି । ମୋଦିଙ୍କ ଗସ୍ତକୁ ପ୍ରହସନ ବୋଲି କହିଛନ୍ତି ବିରୋଧୀ । ଏହି ଅଭିଯୋଗର ନେତୃତ୍ୱ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି ଯେ “ମଣିପୁର ଦୀର୍ଘ ସମୟ ଧରି ଜଳୁଛି ଏବଂ ପ୍ରଧାନମନ୍ତ୍ରୀଙ୍କ ଏବେ ଗସ୍ତ କିଛି ବଡ଼ କଥା ନୁହେଁ” । କଂଗ୍ରେସ ମହାସଚିବ ଜୟରାମ ରମେଶ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ତିନି ଘଣ୍ଟାର ଗସ୍ତ ରାଜ୍ୟବାସୀଙ୍କ ପ୍ରତି ଅପମାନ, ଯେଉଁମାନେ ତାଙ୍କ ଦୃଷ୍ଟି ଆକର୍ଷଣ ପାଇଁ ପ୍ରାୟ ୨୯ ମାସ ଅପେକ୍ଷା କରିଛନ୍ତି। “ପ୍ରଧାନମନ୍ତ୍ରୀ ମଣିପୁରରେ ୩ ଘଣ୍ଟାରୁ କମ୍ ସମୟ ବିତାଇବେ। ଏହି ଗସ୍ତ, ଶାନ୍ତି ଏବଂ ସଦ୍ଭାବନା ପାଇଁ ଏକ ଶକ୍ତି ଯୋଗାଇବା ପରିବର୍ତ୍ତେ, ପ୍ରକୃତରେ ଏକ ପ୍ରହସନ ହେବାକୁ ଯାଉଛି,” ବୋଲି ରମେଶ କହିଛନ୍ତି।