ଅଭିନେତା ମୋହନଲାଲଙ୍କୁ ମିଳିବ ଦାଦାସାହେବ ଫାଲ୍‌କେ ପୁରସ୍କାର; ଏହି ଦିନ କରାଯିବ ସମ୍ମାନିତ

ନୂଆଦିଲ୍ଲୀ: ଭାରତୀୟ ସିନେମାରେ ଅମୂଲ୍ୟ ଅବଦାନ ପାଇଁ ମାଲାୟାଲମ୍ ସୁପରଷ୍ଟାର ମୋହନଲାଲଙ୍କୁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ। ଏହି ପୁରସ୍କାର ସେପ୍ଟେମ୍ବର ୨୩ ତାରିଖରେ ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ପ୍ରଦାନ କରାଯିବ। ୨୦୨୩ ବର୍ଷ ପାଇଁ ମୋହନଲାଲଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଶନିବାର ଘୋଷଣା କରିଛନ୍ତି ।

ମୋହନଲାଲ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କ କ୍ୟାରିଅରରେ ୪୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ସେ କେବଳ ମାଲାୟଲମ ଚଳଚ୍ଚିତ୍ର ଶିଳ୍ପରେ ନୁହେଁ ବରଂ ତାମିଲ, ତେଲୁଗୁ ଏବଂ ହିନ୍ଦୀ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ଯଥେଷ୍ଟ ପ୍ରସିଦ୍ଧି ଅର୍ଜନ କରିଛନ୍ତି।

ମୋହନଲାଲଙ୍କ ଉଲ୍ଲେଖନୀୟ ସିନେମା ଯାତ୍ରା ପିଢ଼ିକୁ ପ୍ରେରଣା ଦେଇ ଚାଲିଛି! ଏହି ମହାନ ଅଭିନେତା, ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କୁ ଭାରତୀୟ ସିନେମାରେ ତାଙ୍କର ବିଶିଷ୍ଟ ଅବଦାନ ପାଇଁ ସମ୍ମାନିତ କରାଯାଉଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୋସିଆଲ ମିଡିଆ ଏକ୍ସ ପୋଷ୍ଟରେ କରାଯାଇଛି।

ଗତବର୍ଷ, ଦିଗଜ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ୨୦୨୨ ବର୍ଷ ପାଇଁ ଦାଦା ସାହେବ ଫାଲକେ ଜୀବନବ୍ୟାପୀ ସାଧନା ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଅନ୍ୟପକ୍ଷରେ, ମୋହନଲାଲଙ୍କୁ ସିନେମାରେ ତାଙ୍କ ଅବଦାନ ପାଇଁ ୨୦୦୧ ରେ ପଦ୍ମଶ୍ରୀ ଏବଂ ୨୦୧୯ ରେ ପଦ୍ମ ଭୂଷଣ ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.