ଲେହ ହିଂସା ପାଇଁ ସୋନମ ୱାଙ୍ଗଚୁକଙ୍କୁ ଦାୟୀ କଲା ଗୃହ ମନ୍ତ୍ରଣାଳୟ, ଜାଣନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ: ଲେହ ସହରର ହୋଇଥିବା ହିଂସାତ୍ମକ ପ୍ରଦର୍ଶନ ସମ୍ପର୍କରେ ଗୃହ ମନ୍ତ୍ରଣାଳୟ (MHA) ବୁଧବାର ଏକ ବିବୃତ୍ତି ଜାରି କରିଛି। ହିଂସାକୁ ଉସ୍କାଇବା ପାଇଁ ଏମଏଚଏ ସିଧାସଳଖ ଜଳବାୟୁ କର୍ମୀ ସୋନମ ୱାଙ୍ଗଚୁକ ଏବଂ ଅନ୍ୟମାନଙ୍କ ଦ୍ୱାରା ସହରରେ ଅନଶନ ଉପରେ ଦିଆଯାଇଥିବା ଉତ୍ତେଜନାମୂଳକ ବୟାନକୁ ଦାୟୀ କରିଛି।

ମନ୍ତ୍ରଣାଳୟ କହିଛି ଯେ, ସୋନମ ୱାଙ୍ଗଚୁକ୍ ଷଷ୍ଠ ଅନୁସୂଚୀ ଏବଂ ଲଦାଖକୁ ରାଜ୍ୟ ମାନ୍ୟତା ଦାବି କରି ୧୦-୦୯-୨୦୨୫ ରେ ଅନଶନ ଆରମ୍ଭ କରିଥିଲେ। ଭାରତ ସରକାର ସର୍ବୋଚ୍ଚ ସଂସ୍ଥା ଲେହ ଏବଂ କାର୍ଗିଲ ଗଣତାନ୍ତ୍ରିକ ମେଣ୍ଟ ସହିତ ସକ୍ରିୟ ଭାବରେ ଜଡିତ ଅଛନ୍ତି। ତାଙ୍କର ଦାବିଗୁଡ଼ିକ ପୂର୍ବରୁ ଉଚ୍ଚ କ୍ଷମତାସମ୍ପନ୍ନ କମିଟି (HPC) ର ଆଲୋଚନାର ଅଂଶ ଥିଲା । ସରକାର ଲଦାଖରେ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷଣକୁ ୪୫% ରୁ ୮୪% କୁ ବୃଦ୍ଧି କରିଛନ୍ତି, ପରିଷଦରେ ମହିଳାମାନଙ୍କୁ ଏକ ତୃତୀୟାଂଶ ସଂରକ୍ଷଣ ପ୍ରଦାନ କରିଛନ୍ତି ଏବଂ ଭୋଟି ଓ ପୁରଗି ଭାଷାକୁ ଆନୁଷ୍ଠାନିକ ଭାବରେ ସ୍ୱୀକୃତି ଦେଇଛନ୍ତି। ୧,୮୦୦ ପଦବୀ ପାଇଁ ନିଯୁକ୍ତି ମଧ୍ୟ ଆରମ୍ଭ ହୋଇଛି।

ମନ୍ତ୍ରଣାଳୟ ଅଭିଯୋଗ କରିଛି ଯେ ୱାଙ୍ଗଚୁକ୍ ଆରବ ସ୍ପ୍ରିଙ୍ଗ ଏବଂ ‘Gen Z’ ଆନ୍ଦୋଳନର ନାଁ ନେଇ ଜନତାଙ୍କୁ ଉସୁକାଇଥିଲେ। ସେପ୍ଟେମ୍ବର ୨୪ ତାରିଖରେ, ଲେହରେ ହିଂସାତ୍ମକ ଜନତା ଏକ ରାଜନୈତିକ ଦଳ ଏବଂ ସିଇସି କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଥିଲେ, ପୋଲିସ ଗାଡ଼ି ପୋଡ଼ି ଦେଇଥିଲେ ଏବଂ ୩୦ ରୁ ଅଧିକ ସୁରକ୍ଷା କର୍ମୀଙ୍କୁ ଆହତ କରିଥିଲେ। ଯେତେବେଳେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଗଲା, ପୋଲିସକୁ ଆତ୍ମରକ୍ଷା ପାଇଁ ଗୁଳି ଚଳାଇବାକୁ ପଡିଲା, ଯାହା ଫଳରେ କିଛି ଲୋକଙ୍କ ମୃତ୍ୟୁ ଘଟିଥିଲା।

ମନ୍ତ୍ରଣାଳୟ କହିଛି ଯେ ଅପରାହ୍ନ ୪ଟା ସୁଦ୍ଧା ପରିସ୍ଥିତି ନିୟନ୍ତ୍ରଣକୁ ଅଣାଯାଇଥିଲା।

ହିଂସା ମଧ୍ୟରେ ୱାଙ୍ଗଚୁକ୍‌ଙ୍କୁ ତାଙ୍କର ଅନଶନ ଭାଙ୍ଗି ପରିସ୍ଥିତିକୁ ଶାନ୍ତ କରିବାକୁ କୌଣସି ପ୍ରୟାସ ନକରି ତାଙ୍କ ଗାଁକୁ ଫେରିଯିବାର ଅଭିଯୋଗ ମଧ୍ୟ କରିଛି ଗୃହ ମନ୍ତ୍ରଣାଳୟ । କେନ୍ଦ୍ର ସରକାର କହିଛନ୍ତି ଯେ ସେ ଲଦାଖର ଆକାଂକ୍ଷା ଏବଂ ସାମ୍ବିଧାନିକ ଅଧିକାର ପ୍ରତି ସମ୍ପୂର୍ଣ୍ଣ ପ୍ରତିବଦ୍ଧ।

 

Leave A Reply

Your email address will not be published.