ମୁମ୍ବାଇ: କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସ ଓଡିଆ ସୁପରହିଟ ଫିଲ୍ମ ‘ବୋଉ ବୁଟୁ ଭୂତ’ର ରିମେକ କରିବା ନେଇ କୁହାଯାଉଛି। ଏନେଇ ଏକ ପବ୍ଲିକ ନୋଟିସ କୋମଲ ନେହତ୍ତାଙ୍କ ଫିଲ୍ମ ଇନଫର୍ମେସନ ମାଗାଜିନରେ ପ୍ରକାଶିତ ହେବାପରେ ଚର୍ଚ୍ଚାକୁ ଆସିଥିଲା।
ତେବେ ଧର୍ମା ପ୍ରଡକ୍ସନ ପୂର୍ବରୁ ମଧ୍ୟ ସାଉଥ୍ ଏବଂ ମରାଠୀ ଇଣ୍ଡଷ୍ଟ୍ରିର ଅନେକ ଫିଲ୍ମକୁ ସଫଳତାର ସହ ରିମେକ କରିଛି। ଆଉ ଏବେ ତାଙ୍କ ନଜର ଓଲିଉଡ ଉପରେ ଥିବା କୁହାଯାଉଛି। ୨୦୨୫ର ଏହି ଓଡ଼ିଆ ବ୍ଲକବଷ୍ଟରର ଫିଲ୍ମର ରୀମେକ୍ ରାଇଟ୍ସ ହାସଲ କରିବା ପ୍ରକ୍ରିୟା ଚାଲିଥିବା ନେଇ ଧର୍ମା ପ୍ରଡକ୍ସନ୍ସର ମୁଖ୍ୟ ଲିଗାଲ ଅଧିକାରୀଙ୍କ ଦ୍ଵାରା ଏକ ସରକାରୀ ନୋଟିସ ଜାରି କରାଯାଇଛି। ଏହି ନୋଟିସ ଅନୁଯାୟୀ ଧର୍ମା ପ୍ରଡକ୍ସନ୍ସ ସମସ୍ତ ଭାରତୀୟ ଭାଷାରେ ବୋଉ ବୁଟୁ ଭୂତ ର ପୁନଃନିର୍ମାଣ ଅଧିକାର ହାସଲ କରି ବିଶ୍ୱ ସ୍ତରରେ ଯେକୌଣସି ପ୍ଲାଟଫର୍ମରେ ଚଳଚ୍ଚିତ୍ର ନିର୍ମାଣ କରିପାରିବ। ଏହାକୁ ସମସ୍ତ ଭାଷାରେ ଡବିଂ କରାଯିବା ସହ ସବଟାଇଟେଲିଂ ମଧ୍ୟ କରାଯିବ। ଏହି ଫିଲ୍ମ ଚଳଚ୍ଚିତ୍ରର ମୂଳ ଅଧିକାର ବର୍ତ୍ତମାନ୍ ବାବୁଶାନ ଫିଲ୍ମସ୍ ପ୍ରାଇଭେଟ୍ ଲିମିଟେଡ୍ ପାଖରେ ଅଛି।
ତେବେ ଏହା ଏକ ହରର-ଥ୍ରିଲର-କମେଡି ଫିଲ୍ମ ଥିଲା। ଯାହାକି ଚଳିତ ବର୍ଷ ଜୁନ୍ ୧୨ରେ ମୁକ୍ତିଲାଭ କରିଥିଲା ଓ ଓଡ଼ିଆ ସିନେଜଗତର ସମସ୍ତ ରେକର୍ଡ ଭାଙ୍ଗିଦେଇଥିଲା। ତେବେ ଏହି ଚଳଚ୍ଚିତ୍ରଟି ଜଣେ ମାଛ ଚାଷୀର କାହାଣୀ ଅଟେ। ଯିଏକି କାମରୁ ଘରକୁ ଫେରିବା ସମୟରେ ଏକ ଭୂତର ଶିକାର ହୋଇଥାଏ। ସେ ପରବର୍ତ୍ତୀ ମୂହୁର୍ତ୍ତରେ ସମ୍ପୂର୍ଣ୍ଣ ଗାଁ ରେ ଅରାଜକତା ସୃଷ୍ଟି କରିବା ସହ ନିଜ ମା ପାଇଁ ମଧ୍ୟ ଅନେକ ଅସୁବିଧା ସୃଷ୍ଟି କରିଥାଏ। ତେବେ ଏହି ଫିଲ୍ମରେ ତାଙ୍କ ମା ଜଣେ ଯାଦୁଗର ଥିବା ନେଇ ଜଣାପଡ଼ିଛି।
ଏହି ଫିଲ୍ମରେ ବାବୁଶାନ୍ ମହାନ୍ତି, ଅର୍ଚ୍ଚିତା ସାହୁ ଏବଂ ଅପରାଜିତା ମହାନ୍ତି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହା ରିଲିଜର ପ୍ରଥମ ଦିନରେ ହିଁ ୪୦ଲକ୍ଷ ଟଙ୍କା ଆୟ କରିଥିବା ବେଳେ ପ୍ରଥମ ରବିବାରରେ ଏହା ୧.୨୫ କୋଟି ଟଙ୍କା ଆୟ କରିଥିଲା।
ତେବେ ଏହି ଫିଲ୍ମଟି ପ୍ରାୟ ୧୪-୧୫ କୋଟି ଟଙ୍କା ଆୟ କରିଥିବା ନେଇ ଆକଳନ କରାଯାଉଛି। ପୂର୍ବରୁ ୨୦୨୨ରେ ରିଲିଜ ହୋଇଥିବା ଫିଲ୍ମ ଦମନ ପ୍ରାୟ ୭.୫୦ କୋଟି ଟଙ୍କା ଆୟ କରିଥିବା ନେଇ ସୂଚନା ମିଳିଛି। ଯାହାକି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଦ୍ବିତୀୟ ସର୍ବାଧିକ ଆୟ କରିଥିବା ଫିଲ୍ମ ଅଟେ।