ୟୁନେସ୍କୋର ‘ଓ୍ବାର୍ଲ୍‌ଡ୍ କଂଗ୍ରେସ ଅଫ୍ ପୋଏଟ୍‌ସ୍’ରେ ଯୋଗଦେଲେ ଓଡ଼ିଆ କବୟିତ୍ରୀ

ଭୁବନେଶ୍ୱର: ୟୁନେସ୍କୋର ସଂସ୍ଥା ‘ଓ୍ବାର୍ଲ୍‌ଡ୍ ଏକାଡେମୀ ଅଫ୍ ଆର୍ଟସ୍ ଆଣ୍ଡ୍ କଲଚର’ ଦ୍ବାରା ଆମେରିକାର ମେକ୍ସିକୋ ସହରରେ ଆୟୋଜିତ ଏକ ମର୍ଯ୍ୟାଦାଜନକ ପାଞ୍ଚଦିନିଆ ବିଶ୍ବ କବି ସମ୍ମିଳନୀ (ଓ୍ବାର୍ଲ୍‌ଡ୍ କଂଗ୍ରେସ୍ ଅଫ୍ ପୋଏଟ୍‌ସ୍)ରେ ଯୋଗଦେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ବିଶିଷ୍ଟ ଓଡ଼ିଆ କବୟିତ୍ରୀ ସୁଶ୍ରୀ ସଂଗୀତା ମିଶ୍ର।

ସେହି ସମ୍ମିଳନୀରେ ସ୍ଥାନ ପାଇଥିବା ‘ମହାନ କବିମାନଙ୍କ କବିତା ପଛର ଦର୍ଶନ’ ବିଷୟକ ଏକ ଆଲୋଚନା ଅଧିବେଶନରେ ନିଜର ବକ୍ତବ୍ୟ ରଖିବା ପାଇଁ ଭାରତର ଏକମାତ୍ର କବୟିତ୍ରୀ ଭାବରେ ସେ ଆମନ୍ତ୍ରିତ ହୋଇଥିଲେ। ଏହି ଅଧିବେଶନର ମଞ୍ଚରେ ତା’ଙ୍କ ବ୍ୟତୀତ ସୋନ୍ୟା ଗାର୍ଜା ରାପୋର୍ଟ (ମଣ୍ଟେରୀ), ଡାନିଏଲ୍ ଗ୍ରାଗ୍‌ଲିଆ (ଚିଲି) ଓ ଡ଼ଟ୍ ଡ୍ରମ୍‌ହେଲର୍ (ନ୍ୟୁଜିଲାଣ୍ଡ) ମଧ୍ୟ ଉପସ୍ଥିତ ଥିଲେ।

ୟୁନୋସ୍କୋର ଆୟୋଜନକାରୀ ସଂସ୍ଥା ପକ୍ଷରୁ ଜାରି ହୋଇଥିବା ଏକ ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ମେକ୍ସିକୋ ସହରର ଗ୍ରାନ୍ ହୋଟେଲ୍ ଆନ୍‌କିରା‌ରେ ଆୟୋଜିତ ଏହି ବିଶାଳ ସମ୍ମିଳନୀରେ ୧୯ଟି ଦେଶର ୧୨୦ ଜଣ କବି ଓ କବୟିତ୍ରୀ ଯୋଗ ଦେଇଥିଲେ। ସୁଶ୍ରୀ ସଂଗୀତା ମିଶ୍ର ମୁଖ୍ୟତଃ ଇଂରାଜୀ ଭାଷାରେ କବିତା ଲେଖନ୍ତି। ଅଳ୍ପଦିନ ତଳେ ତାଙ୍କର ‘ଲାଇନ୍ ଅଫ୍ ଇଲୁମିନେସନ୍’ ନାମକ କବିତା ସଂକଳନ ପ୍ରକାଶ ପାଇ ପାଠକାଦୃତ ହୋଇଛି।

ଏହା ପୂର୍ବରୁ ତା’ଙ୍କର ଦୁଇଟି ଓଡ଼ିଆ କବିତା ସଂକଳନ, ‘ନିରବତାର ଶବ୍ଦ’ ଓ ‘ନିସ୍ତବ୍ଧ ଆକାଶ’ ମଧ୍ୟ ପ୍ରକାଶ ପାଇଛି। ସେ ‘ସମାଜରେ ସାହିତ୍ୟର ଭୂମିକା’ ବିଷୟରେ ଗବେଷଣା ପାଇଁ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଦ୍ବାରା ଫେଲୋସିପ ନିମନ୍ତେ ମଧ୍ୟ ମନୋନୀତ ହୋଇଛନ୍ତି। ସେ ବର୍ତ୍ତମାନ ଚେନ୍ନାଇ ସହରରେ ରହୁଛନ୍ତି।

Leave A Reply

Your email address will not be published.