ନୂଆଦିଲ୍ଲୀ: ନବୀନ ସରକାର ବାଣ୍ଟିଥିଲେ ସ୍କୁଟି…ଏବେ ମୋହନ ସରକାର ବାଣ୍ଟିବେ କାର୍…ଆରମ୍ଭ ହେବ ‘ଆମ ସୁବାହକ’ ଯୋଜନା ।
ଡ୍ରାଇଭିଂ ବୃତ୍ତିରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଓଡ଼ିଶା ସରକାର ଏକ ନୂତନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଚାହୁଁଛନ୍ତି। ମହିଳାଙ୍କୁ ସଶକ୍ତ କରାଇବା ପାଇଁ ମୋହନ ସରକାର ଖୁବଶୀଘ୍ର ‘ଆମ ସୁବାହକ’ ବା ‘ଆତ୍ମନିର୍ଭର ମହିଳା ସୁ ବାହକ’ ଯୋଜନା ଆରମ୍ଭ କରିବେ । ଯେଉଁଥିରେ ଚାରି ଚକିଆ ଯାନ କିଣିବା ପାଇଁ ଜଣେ ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଋଣ ଯୋଗାଇବେ ସରକାର । ମୋଟ ୪ ବର୍ଷରେ ୧୧୦୦ ମହିଳାଙ୍କୁ କାର କିଣିବା ପାଇଁ ସହଯୋଗ ଯୋଗାଇ ଦେବେ ରାଜ୍ୟ ସରକାର । ଏନେଇ ପ୍ରଥମ ବର୍ଷରେ ୨୦୦ ଜଣଙ୍କୁ କାର୍ ଦିଆଯିବ । ଦ୍ୱିତୀୟ ବର୍ଷରେ ୨୫୦, ତୃତୀୟ ବର୍ଷରେ ୩୦୦ ଚତୁର୍ଥ ବର୍ଷରେ ୩୫୦ ମହିଳାଙ୍କୁ କାର୍ କିଣିବା ପାଇଁ ରଣ ମିଳିବ । ଏହି ପଦକ୍ଷେପ ପାଇଁ ରାଜ୍ୟ ସରକାରଙ୍କ ପ୍ରାୟ ୪୬ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବେ । ଏଥିସହିତ ଯଦି ଇଭି ଗାଡ଼ି କିଣିନ୍ତି ତେବେ ଅଧିକ ୨ ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ମିଳିବ । ଏମିତିକି ସଡ଼କ ଟିକସ ଏବଂ ପଞ୍ଜିକରଣ ଫି ମଧ୍ୟ ଛାଡ଼ କରାଯିବ ।
ତେବେ ଏହି ଯୋଜନା ଡିସେମ୍ବର ୨୦୨୩ରେ ଆରମ୍ଭ ହୋଇଥିବା ଆମ ସୁବାହକ କାର୍ଯ୍ୟକ୍ରମର ଏକ ବିସ୍ତାର । ଯେଉଁଥିରେ ପୂର୍ବରୁ ଅତି କମରେ ୩୦ ଜଣ ମହିଳାଙ୍କୁ ଏହା ଅଧିନରେ ତାଲିମ ଦିଆଯାଇଥିଲା। ଆଉ ଏବେ ଆଗାମୀ ୪ ଆର୍ଥିକ ବର୍ଷ ମଧ୍ୟରେ, ସରକାର ୧୧୦୦ ମହିଳା ଗତିଶୀଳତା ଉଦ୍ୟୋଗୀଙ୍କ ଏକ ନେଟୱାର୍କ ସୃଷ୍ଟି କରିବାକୁ ଯୋଜନା କରିଛନ୍ତି ।
ଏହି ସ୍କିମ୍ ୨୧ରୁ ୪୦ ବର୍ଷର ମହିଳାଙ୍କ ପାଇଁ ପ୍ରାଯୁଜ୍ୟ ହେବ, ଯାହାଙ୍କର ବାର୍ଷିକ ଆୟ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଥିବ । ଆବେଦନକାରୀଙ୍କ ପାଖରେ ଏକ ବୈଧ ଡ୍ରାଇଭିଂ ଲାଇସେନ୍ସ ଏବଂ ଡ୍ରାଇଭିଂ ତାଲିମ ଏବଂ ଗବେଷଣା ପ୍ରତିଷ୍ଠାନ (IDTR) ରେ ସମ୍ପୂର୍ଣ୍ଣ ଦକ୍ଷତା ବୃଦ୍ଧି ତାଲିମ ଥିବା ଆବଶ୍ୟକ। ଏହି ଯୋଜନାରେ ସରକାରୀ ବସ୍ ଚଲାଇବାରେ ପୂର୍ବରୁ ନିୟୋଜିତ ମହିଳା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଏବଂ ସୁଭଦ୍ରା ହିତାଧିକାରୀଙ୍କୁ ପ୍ରାଥମିକତା ଦିଆଯିବ। ଯାହା ପରିବହନ କ୍ଷେତ୍ରରେ ମହିଳାମାନଙ୍କୁ ଉଦ୍ୟୋଗୀ ସୁଯୋଗ ପ୍ରଦାନ କରିବ ।