ସେନା ଶିବିର ଉପରେ ଗ୍ରେନେଡ୍ ଆକ୍ରମଣ, ତିନି ଯବାନ ଆହତ

ନୂଆଦିଲ୍ଲୀ: ଆସାମର ତିନସୁକିଆ ଜିଲ୍ଲାର କାକୋପାଥରରେ ଏକ ସେନା ଶିବିରରେ ଗ୍ରେନେଡ୍ ଆକ୍ରମଣ ହୋଇଛି। ଏଥିରେ ତିନି ଜଣ ଯବାନ ଆହତ ହୋଇଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ସେନା ଶିବିରରେ ପ୍ରବଳ ଗୁଳି ବିନିମୟ ହୋଇଥିଲା। ଅନେକ ଗ୍ରେନେଡ୍ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା, ଯାହା ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। କାକୋପାଥର ସେନା ଶିବିର ନିକଟରେ ପ୍ରାୟ ଗୋଟିଏ ଘଣ୍ଟା ଧରି ଗୁଳି ବିନିମୟ ଜାରି ରହିଥିବା ଜଣାପଡ଼ିଛି।

ଏହି ଅଞ୍ଚଳ ଆସାମ ଏବଂ ଅରୁଣାଚଳ ପ୍ରଦେଶ ମଧ୍ୟରେ ଆନ୍ତଃରାଜ୍ୟ ସୀମା ନିକଟରେ ଅବସ୍ଥିତ। ଏହି ଘଟଣା ପରେ ସୁରକ୍ଷା ବାହିନୀ ଏବଂ ପୋଲିସ ମିଳିତ ଭାବରେ ଅଞ୍ଚଳରେ ଏକ ବ୍ୟାପକ ତଲାସୀ ଅଭିଯାନ ଆରମ୍ଭ କରିଛନ୍ତି।

ପ୍ରାରମ୍ଭିକ ସୂଚନା ଅନୁଯାୟୀ, କାକୋପାଥରରେ ଥିବା ଭାରତୀୟ ସେନାର ୧୯ ଗ୍ରେନେଡିଆର୍ସ ୟୁନିଟର ଶିବିରକୁ ଟାର୍ଗେଟ କରି ମଧ୍ୟରାତ୍ରିରେ ଗ୍ରେନେଡ ଫିଙ୍ଗାଯାଇଥିଲା। ବିସ୍ଫୋରଣରେ ତିନି ଜଣ ଯବାନ ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯେଉଁଠାରେ ସେମାନଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଥିବା କୁହାଯାଉଛି। ସେନା ପକ୍ଷରୁ କୁହାଯାଇଛି ଯେ ପ୍ରାଥମିକ ଚିକିତ୍ସା ପରେ ଆହତ ଯବାନମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ବିଶେଷଜ୍ଞଙ୍କ ତତ୍ତ୍ୱାବଧାନରେ ରଖାଯାଇଛି।

ସେନା ଶିବିର ଉପରେ ଆକ୍ରମଣ ପରେ, ସେନା ଏବଂ ପୋଲିସ ଅଞ୍ଚଳକୁ ଘେରାବନ୍ଦୀ କରିଛନ୍ତି। ଆକ୍ରମଣ ସ୍ଥାନ ନିକଟରେ ସାଧାରଣ ଲୋକଙ୍କ ଗତିବିଧିକୁ ପ୍ରତିବନ୍ଧିତ କରାଯାଇଛି। ସେନାର ଯବାନମାନେ କଡ଼ା ନଜର ରଖିଛନ୍ତି।

ଏହି ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ କୌଣସି ଗୋଷ୍ଠୀ ନିଜକୁ ଦାୟୀ କରି ନାହିଁ । ତଥାପି, ଏହି ଗ୍ରେନେଡ୍ ଆକ୍ରମଣ ପଛରେ ୟୁନାଇଟେଡ୍ ଲିବରେସନ୍ ଫ୍ରଣ୍ଟ ଅଫ୍ ଆସାମ (ଉଲଫା)-(ସ୍ୱାଧୀନ)(ULFA(I) ଗୋଷ୍ଠୀର ହାତ ଥିବା ସନ୍ଦେହ କରାଯାଉଛି।

Leave A Reply

Your email address will not be published.