କର୍ମଚାରୀଙ୍କୁ ଦୀପାବଳି ଭେଟି, ୫୧ଟି ଦାମୀ କାର ଗିଫ୍ଟ କଲା କମ୍ପାନୀ…

ଚଣ୍ଡିଗଡ଼: ଚଣ୍ଡିଗଡ଼ର ଟ୍ରାଇସିଟି ସ୍ଥିତ ଏକ ଫାର୍ମା କମ୍ପାନୀ ଚଳିତ ଦୀପାବଳିରେ ନିଜ କର୍ମଚାରୀ ମାନଙ୍କୁ ଏପରି କିଛି ଉପହାର ଦେଇଛି। ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

ଶିଳ୍ପପତି ଏମ.କେ.ଭାଟିଆ ନିଜର ଉଦାରତା ପାଇଁ ଖୁବ୍ ପରିଚିତ। ନିଜର କର୍ମଚାରୀ ମାନଙ୍କୁ ସେଲିବ୍ରିଟି ଭାବୁଥିବା ଭାଟିଆ କ୍ରମାଗତ ତୃତୀୟ ବର୍ଷ ଧରି ସେମାନଙ୍କୁ ନୂତନ କାର ଉପହାର ଦେଇଛନ୍ତି। ସେ ନିଜ କର୍ମଚାରୀଙ୍କୁ ୫୧ଟି ଦାମୀ କାର ଗିଫ୍ଟ କରିଛନ୍ତି। ଏହି ପଦକ୍ଷେପ ଦ୍ଵାରା କର୍ମଚାରୀମାନେ ଆନନ୍ଦିତ ହେବା ସହ ସାମାଜିକ ଗଣମାଧ୍ୟମରେ ମଧ୍ୟ ଏହା ଆଲୋଚନାର ବିଷୟ ପାଲଟିଥିଲା। କର୍ମଚାରୀମାନଙ୍କର ଖୁସି ବାଣ୍ଟିବା ସହ ସେମାନଙ୍କ ସହିତ ସଫଳତା ବାଣ୍ଟିବା ତାଙ୍କର ସର୍ବୋଚ୍ଚ ପ୍ରାଥମିକତା ବୋଲି ଭାଟିଆ କହିଥିଲେ। ଏଥିସହିତ କର୍ମଚାରୀଙ୍କ କଠିନ ପରିଶ୍ରମର ଅବଦାନକୁ ସମ୍ମାନ ଏବଂ ସ୍ୱୀକୃତି ଦେବାରେ ଏହା ଏକ ଉପାୟ ବୋଲି ମଧ୍ୟ ସେ କହିଛନ୍ତି।

ଏପରି ପଦକ୍ଷେପ ଦ୍ଵାରା କାମ ପ୍ରତି ସେମାନଙ୍କ ସମର୍ପଣକୁ ବୃଦ୍ଧି କରିବା, କମ୍ପାନୀ ପ୍ରତି ବିଶ୍ୱସ୍ତତା ଏବଂ ଆତ୍ମବିଶ୍ୱାସକୁ ମଜବୁତ କରିଥାଏ ବୋଲି ସେ କହିଛନ୍ତି। ତେବେ ଏମ.କେ. ଭାଟିଆଙ୍କ ଏପରି ପରମ୍ପରା କେବଳ କର୍ମଚାରୀମାନଙ୍କ ମଧ୍ୟରେ ସୀମିତ ନୁହେଁ ବରଂ ସମାଜରେ ଉଦାରତା ଏବଂ ସକାରାତ୍ମକ ଚିନ୍ତାଧାରାକୁ ମଧ୍ୟ ପ୍ରସାରିତ କରିଥାଏ।

Leave A Reply

Your email address will not be published.