ଭୁବନେଶ୍ୱର: ଭୁବନେଶ୍ୱର ସମେତ ତିନୋଟି ଜିଲ୍ଲା ପାଇଁ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ତରଫରୁ ସତର୍କତା ଜାରି କରାଯାଇଛି।
ଖୋର୍ଦ୍ଧା (ଭୁବନେଶ୍ବର) ସମେତ ପୁରୀ ଏବଂ ମାଲକାନଗିରି ଜିଲ୍ଲାର ଅଳ୍ପ କିଛି ସ୍ଥାନରେ ବଜ୍ରପାତ ସହିତ ଝଡ଼ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି। ତେଣୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ରାଜ୍ୟ ସରକାରଙ୍କ ତରଫରୁ ପରାମର୍ଶ ଦିଆଯାଇଛି। ଏହା ପୂର୍ବରୁ ରାୟଗଡା, ସୁନ୍ଦରଗଡ଼, ଯାଜପୁର, କଟକ, ଢେଙ୍କାନାଳ ଏବଂ ଜଗତସିଂହପୁର ଜିଲ୍ଲାରେ ମଧ୍ୟ ବର୍ଷା ସତର୍କତା ଜାରି କରାଯାଇଥିଲା।
ତେବେ ଏହାର ସର୍ବାଧିକ ପ୍ରଭାବ ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରେ ଦେଖାଯିବା ନେଇ ରିପୋର୍ଟରୁ ଜଣାପଡିଛି। ଏଥିସହିତ ଗଜପତି, ରାୟଗଡ଼ା ଏବଂ ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖାଦେଇପାରେ। ଯାହାଫଳରେ ସେଠାରେ ଅତ୍ୟଧିକ ବର୍ଷା ହେବା ଯୋଗୁଁ ଭୂସ୍ଖଳନ କିମ୍ବା ହଠାତ୍ ବନ୍ୟା ହେବାର ଆଶଙ୍କା ରହିଥିବା ନେଇ କୁହାଯାଉଛି। ସେହିପରି ଅକ୍ଟୋବର ୨୮ଓ ୨୯ ତାରିଖରେ ମାଲାକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନବରଙ୍ଗପୁର ଏବଂ କଳାହାଣ୍ଡିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଅର୍ଥାତ୍ ୭ ରୁ ୨୦ ସେମି କିମ୍ବା ଆହୁରି ଅଧିକ ହେବାର ସମ୍ଭାବନା ରହିଛି। ଯାହାଫଳରେ ଏହି ଜିଲ୍ଲା ପାଇଁ ରେଡ୍ ୱାର୍ନିଂ ଜାରି କରାଯାଇଛି।