ବିଜେଡିକୁ ହଠାତ୍ ଶକ୍ତ ଝଟ୍‌କା, ବିଜେପିରେ ମିଶିଲେ ଅମର ପଟ୍ଟନାୟକ

ନୂଆପଡା ଉପନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳ (BJD)କୁ ଶକ୍ତ ଝଟ୍‌କା । ଗୋଟିଏ ପଟେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ବାଚନୀ ପ୍ରଚାର କରିବାକୁ ନୂଆପଡା ଯାଇଥିବା ବେଳେ ଏପଟେ ରାଜଧାନୀରେ ବଡ଼ ହଲ୍‌ଚଲ୍ ଦେଖିବାକୁ ମିଳିଛି । ପୂର୍ବତନ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ବିଜେଡି ନେତା ଅମର ପଟ୍ଟନାୟକ ଦଳ ଛାଡି ଆଜି ଭାରତୀୟ ଜନତା ପାର୍ଟି (BJP)ରେ ସାମିଲ ହୋଇଛନ୍ତି । ଦଳୀୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ଅମର ପଟ୍ଟନାୟକ । ମିଶ୍ରଣ ପର୍ବରେ ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ୍‌ ସିଂହ ତୋମାର ମଧ୍ୟ ଉପସ୍ଥିତ ଥିଲେ ।

BJPରେ ସାମିଲ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଅମର ପଟ୍ଟନାୟକ । ସେ କହିଛନ୍ତି, ‘ରାଷ୍ଟ୍ର ନିର୍ମାଣ ପାଇଁ ବିଜେପିରେ ମିଶିଛି । ବିଜେପିର ଆଦର୍ଶରେ ଅନୁପ୍ରାଣିତ ହୋଇଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇଛି । ଯେଉଁ କାର୍ଯ୍ୟରେ ନିୟୋଜିତ କରିବେ, ମୁଁ କରିବି।’

ଅମର ପଟ୍ଟନାୟକ ବିଜେପିରେ ସାମିଲ ହେବାକୁ ନେଇ ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର କହିଛନ୍ତି, ଅମର ପଟ୍ଟନାୟକଙ୍କ ଭଳି କିଛି ଲୋକଙ୍କ ପାଇଁ ନବୀନ ପଟ୍ଟନାୟକ ଲମ୍ବା ସମୟ ଧରି ଶାସନ କଲେ । ମୋଦି ଓଡ଼ିଶାରେ ନିର୍ବାଚନ ପରେ ୭ଥର ଆସିଲେଣି । ସବୁଥର ପ୍ୟାକେଜ ଓଡିଶାକୁ ଦେଉଛନ୍ତି । ମୋଦିଙ୍କ ଆଶୀର୍ବାଦ ସରକାର ଉପରେ ଅଛି । ଅମର ପଟ୍ଟନାୟକଙ୍କ ଯୋଗଦାନ ପରେ ଅମରଙ୍କୁ ସମ୍ମାନ ଦେବାରେ ଦଳ କୌଣସି ସୁଯୋଗ ହାତ ଛଡା କରିବନାହିଁ ।

Leave A Reply

Your email address will not be published.