ମୁମ୍ବାଇ: ୬୦ ବର୍ଷରେ ପାଦ ଥାପିଲେ ବଲିଉଡ୍ ବାଦଶାହ ଶାହରୁଖ ଖାନ । ଆଜି ତାଙ୍କ ଜନ୍ମଦିନ ଅବସରରେ ପ୍ରଶଂସକମାନଙ୍କୁ ଏକ ବଡ ଭେଟି ଦେଇଛନ୍ତି ଶାହରୁଖ । ଶାହରୁଖ ଖାନଙ୍କ ଆଗାମୀ ଫିଲ୍ମ “କିଙ୍ଗ୍”ର ଟାଇଟଲ୍ ପ୍ରକାଶିତ ହୋଇଛି। ତାଙ୍କ ଜନ୍ମଦିନ ଅବସରରେ, ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ଏକ ଚମତ୍କାର ଭିଡିଓ ରିଲିଜ୍ କରିଛନ୍ତି, ଯାହା ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ “କିଙ୍ଗ୍” ର ଶୀର୍ଷକ ପ୍ରକାଶ କରିଛି। ଅଭିନେତାଙ୍କୁ ଏକ ଚମତ୍କାର ଲୁକ୍ ଏବଂ ଆକ୍ସନ୍ ଶୈଳୀରେ ଦେଖିବାକୁ ମିଳୁଛି, “ପଠାନ” ଏବଂ “ଜୱାନ” ଅପେକ୍ଷା ମଧ୍ୟ ଅଧିକ ପ୍ରଭାବଶାଳୀ।
ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ଇନଷ୍ଟାଗ୍ରାମରେ ଶାହରୁଖ ଖାନଙ୍କ ଫିଲ୍ମ “କିଙ୍ଗ୍” ର ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଅଭିନେତାଙ୍କୁ ଚମତ୍କାର ଆକ୍ସନ୍ ମୋଡରେ ଦେଖାଯାଉଛି। ଆସୁଥିବା ସିନେମା କିଙ୍ଗ ରେ ଅଭିନେତାଙ୍କୁ “ପଠାନ” ଏବଂ “ଜୱାନ” ଅପେକ୍ଷା ଅଧିକ ବିପଦପୂର୍ଣ୍ଣ ଲୁକ୍ ରେ ଦେଖାଯାଇପାରେ । ଯାହାକୁ ନେଇ ଇଣ୍ଟରନେଟରେ ହଇଚଇ ସୃଷ୍ଟି ହୋଇଛି । ତେବେ ଏହି ଶାହରୁଖଙ୍କ ଆଗାମୀ ଫିଲ୍ମ କିଙ୍ଗ ଆସନ୍ତା ବର୍ଷ ୨୦୨୬ରେ ରିଲିଜ୍ ହେବାକୁ ଯାଉଛି । ଯେଉଁଥିରେ ପୁଣି ଥରେ ଦୀପିକା ପାଦୁକୋନଙ୍କ ସହିତ ସ୍କ୍ରିନ୍ ସେୟାର କରିବେ ଶାହରୁଖ। ଯାହାର ପ୍ରଥମ ଝଲକ ସାମ୍ନାକୁ ଆସିଥିବା ବେଳେ କିଙ୍ଗ ଖାନଙ୍କ ଲୁକ୍ ଏବଂ ଭିଡିଓ ଦର୍ଶକଙ୍କୁ ଉତ୍ସାହିତ କରିସାରିଛି ଯେ ପୁଣି ଥରେ ବକ୍ସ ଅଫିସରେ ରାଜ କରିବାକୁ ଯାଉଛନ୍ତି ବଲିଉଡର ବେତାଜ୍ ବାନଶାହ ।
ସବୁଠାରୁ ବଡ ଫିଲ୍ମ ହୋଇପାରେ “କିଙ୍ଗ୍”!
ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ୍ ଏବଂ ମାର୍ଫ୍ଲିକ୍ସ ପିକଚର୍ସ ବ୍ୟାନରରେ ନିର୍ମିତ “କିଙ୍ଗ୍”, ଶାହରୁଖଙ୍କୁ ପୁଣି କିଲର୍ ଏବଂ ଆକ୍ସନ୍ ଲୁକ୍ ସହିତ ଦର୍ଶକଙ୍କ ଗହଳିକୁ ଆଣୁଛି । ତାଙ୍କୁ ପୂର୍ବରୁ ଏହି ଶୈଳୀରେ କେବେ ଦେଖାଯାଇନାହିଁ। ଏହି ଫିଲ୍ମ ନିସନ୍ଦେହରେ ସାରା ବିଶ୍ୱରେ ପ୍ରଶଂସକଙ୍କୁ ରୋମାଞ୍ଚିତ କରିବ। ଏହି ଫିଲ୍ମଟି ଏକ ଷ୍ଟାଇଲିସ୍ ଏବଂ ଶକ୍ତିଶାଳୀ ଆକ୍ସନ୍ ମନୋରଞ୍ଜନକାରୀ ସିନେମା ହେବ ବୋଲି କୁହାଯାଉଛି । ଏହାକୁ ସିଦ୍ଧାର୍ଥ ଆନନ୍ଦଙ୍କ ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ଏବଂ ମସଲାଦାର ଫିଲ୍ମ ବୋଲି ବିବେଚନା କରାଯାଉଛି, ଯାହା ତାଙ୍କ ଆକ୍ସନ୍ କାହାଣୀକୁ ଏକ ନୂତନ ସ୍ତରକୁ ନେଇଯାଏ।
୨୦୨୩ରେ ଦେଇଥିଲେ ୩ ବ୍ଲକବଷ୍ଟର
କିଙ୍ଗ୍ ଖାନ ଦୀର୍ଘ ବିରତି ପରେ ୨୦୨୩ରେ ତିନୋଟି ବ୍ଲକବଷ୍ଟର ପ୍ରଶଂସକଙ୍କୁ ଭେଟି ଦେଇଥିଲେ । ସେ ବର୍ଷଟି ‘ପଠାନ’ ସହିତ ଆରମ୍ଭ କରିଥିଲେ, ଯେଉଁଥିରେ ସେ ଦୀପିକା ପାଦୁକୋନଙ୍କ ସହିତ ନଜର ଆସିଥିଲେ। ତା’ପରେ ତାଙ୍କୁ ‘ଜୱାନ’ ଫିଲ୍ମରେ ଦେଖିବାକୁ ମିଳିଥିଲା। ବର୍ଷର ଶେଷରେ ସେ ‘ଡଙ୍କି’ ଫିଲ୍ମରେ ନଜର ଆସିଥିଲେ। ତାଙ୍କର ତିନୋଟି ଫିଲ୍ମ ସହିତ, ଅଭିନେତା ସେହି ବର୍ଷ ୨୦୦୦ କୋଟିରୁ ଅଧିକ ବ୍ୟବସାୟ କରିଥିଲେ।