ଭୁବନେଶ୍ବର: ମୌଳିକ ଓଡ଼ିଆ ବ୍ୟାକରଣର ପ୍ରଣୟନ ପାଇଁ ଆର୍ଥିକ ପ୍ରୋତ୍ସାହନ ଘୋଷଣା। ପାଣିନି ଟ୍ରଷ୍ଟ ଓ ସାହିତ୍ୟ ଚର୍ଚ୍ଚା ପକ୍ଷରୁ ବିଭିନ୍ନ ଲେଖକ, ଗବେଷକ, ଭାଷାବିତ୍ ଓ ବୈୟାକରଣ ମାନଙ୍କଠାରୁ ନିରୁତା ଓଡ଼ିଆ ଭାଷାର ମୌଳିକ ବ୍ୟାକରଣ ସମ୍ବଳିତ ପାଣ୍ଡୁଲିପି ଆମନ୍ତ୍ରଣ କରାଯାଇଥିଲା। ଏଥିମଧ୍ୟରୁ ସର୍ବଶ୍ରେଷ୍ଠ ବିବେଚିତ ପାଣ୍ଡୁଲିପି ପାଇଁ ଏକ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯିବାର ବ୍ୟବସ୍ଥା ରହିଛି। ଓଡ଼ିଆ ଭାଷାର କେବଳ ମୌଳିକ ଲକ୍ଷଣଗୁଡ଼ିକୁ ଆଧାର କରି ଏହି ବ୍ୟାକରଣ ପ୍ରଣୀତ ହେବା ଆବଶ୍ୟକ ଏବଂ ସଂସ୍କୃତ ଭାଷାର ବ୍ୟାକରଣ ଅବଲମ୍ବନରେ ରଚିତ ପାରମ୍ପରିକ ଓଡ଼ିଆ ବ୍ୟାକରଣର କୌଣସି ଧାରା ଏଥିରେ ସ୍ଥାନ ପାଇବ ନାହିଁ। ଏଥିରେ ତତ୍ସମ ଓ ତଦ୍ଭବ ଭଳି ସଂସ୍କୃତ ଜଡ଼ିତ କୌଣସି ଶବ୍ଦର ବିଶ୍ଳେଷଣ ନ ହୋଇ କେବଳ ନିରୁତା ବା ମୌଳିକ ଓଡ଼ିଆ ଶବ୍ଦ ହିଁ ଆଲୋଚନାର ପରିସରଭୁକ୍ତ ହେବ।
ଆଗ୍ରହୀ ଲେଖକମାନେ ପ୍ରଥମେ ସେମାନଙ୍କ ପ୍ରସ୍ତାବିତ ପାଣ୍ଡୁଲିପି ର ଏକ ସଂକ୍ଷିପ୍ତସାର ୧୦୦୦ ଶବ୍ଦ ମଧ୍ୟରେ ଲେଖି ଆସନ୍ତା ନଭେମ୍ବର ୨୦ ସୁଦ୍ଧା ଦାଖଲ କରିବା ପାଇଁ ଅନୁରୋଧ କରାଯାଇଛି। ଏହି ବିଷୟରେ ବିଶଦ ବିବରଣୀ ‘ସାହିତ୍ୟ ଚର୍ଚ୍ଚା’ର ଓ୍ବେବସାଇଟ୍ରେ ମଧ୍ୟ ଉପଲବ୍ଧ ଅଛି। ଏହି ସମ୍ପର୍କରେ ସୂଚନା ଦେଇ ‘ପାଣିନି ଏଡୁକେଶନାଲ୍ ଏଣ୍ଡ ରିସର୍ଚ୍ଚ ଟ୍ରଷ୍ଟ’ର ସଭାପତି ସିନିରୁଦ୍ଧ ଦାଶ କହିଛନ୍ତି ଯେ ମୌଳିକ ଓଡ଼ିଆ ଭାଷାର କୌଣସି ବ୍ୟାକରଣ ଲେଖାଯାଇନାହିଁ ବୋଲି ଏବେ ଯେଉଁ ପରିଚର୍ଚ୍ଚା ଚାଲିଛି, ତାହାର ସମାଧାନ ପାଇଁ ଏହା ଏକ ସାମୂହିକ ପ୍ରଚେଷ୍ଟା।
ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟର ଚେୟାର୍ ପ୍ରଫେସର ଉଦୟନାଥ ସାହୁ କହିଛନ୍ତି ଯେ ଏହା ଏକ ଉତ୍ତମ ପଦକ୍ଷେପ। ବିଶିଷ୍ଟ ଭାଷାବିତ୍ ପ୍ରଫେସର ପଞ୍ଚାନନ ମହାନ୍ତି କହିଛନ୍ତି ଯେ ମୌଳିକ ଓଡ଼ିଆ ଭାଷାର ବ୍ୟାକରଣ ପ୍ରଣୟନ ପାଇଁ ଏହା ଏକ ପ୍ରଶଂସନୀୟ ପଦକ୍ଷେପ। ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ହୃଷୀକେଶ ମଲ୍ଲିକଙ୍କ ମତରେ ଏହା ଏକ ସ୍ବାଗତଯୋଗ୍ୟ ପ୍ରଚେଷ୍ଟା; କିନ୍ତୁ ସଂସ୍କୃତ ବ୍ୟାକରଣକୁ ପୂରାପୁରି ବାଦ ଦେଇ ଶତ ପ୍ରତିଶତ ଏକ ଓଡ଼ିଆ ବ୍ୟାକରଣର ପରିକଳ୍ପନା ନିଶ୍ଚୟ ଏକ ମଧୁର ସ୍ବପ୍ନ, ଯାହା ପୂରଣ ହେବା କାଠିକର। ସେହିପରି ବରିଷ୍ଠ ସାହିତ୍ୟ ଗବେଷକ ଗୌରାଙ୍ଗ ଚରଣ ଦାଶ କହିଛନ୍ତି ଯେ ଏହା ଏକ ଭଲ ପ୍ରସ୍ତାବ।
‘ସୃଜନିକା’ର ପ୍ରତିଷ୍ଠାତା ନିଖିଳ ମୋହନ ପଟ୍ଟନାୟକ କହିଛନ୍ତି ଯେ ଦଳଗତ ଆଲୋଚନା ମାଧ୍ୟମରେ ସହମତିଭିତ୍ତିକ ବ୍ୟାକରଣ ସୃଷ୍ଟି କରିବା ଏବେ ଜରୁରୀ। ‘ସାହିତ୍ୟ ଚର୍ଚ୍ଚା’ର ସମ୍ପାଦକ ନିହାର ଶତପଥୀ ସୂଚନା ଦେଇଛନ୍ତି ଯେ ଆଗ୍ରହୀ ଲେଖକଙ୍କ ଠାରୁ ସେମାନଙ୍କ ପ୍ରସ୍ତାବିତ ପାଣ୍ଡୁଲିପିର ସଂକ୍ଷିପ୍ତସାର ପହଞ୍ଚିବା ପରେ ଖୋଲା ଆଲୋଚନା ହେବ।