ଭୁବନେଶ୍ବର: ଭାରତର ଇସ୍ପାତ କ୍ଷେତ୍ରରେ ପ୍ରଗତି ନିମନ୍ତେ ଆଜି ଠାରୁ ଭୁବନେଶ୍ୱରରେ ଦୁଇ ଦିନିଆ ଚିନ୍ତନ ଶିବିର ଆରମ୍ଭ ହୋଇଛି। କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଏଚ.ଡି କୁମାର ସ୍ୱାମୀ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି।
ଉଦଘାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ର ଇସ୍ପାତ ରାଷ୍ଟ୍ର ମନ୍ତ୍ରୀ ଭୂପତିରାଜୁ ଶ୍ରୀନିବାସ ବର୍ମା, ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟ ସଚିବ ସନ୍ଦୀପ ପୌଣ୍ଡ୍ରିକ ପ୍ରମୁଖ ଉପସ୍ଥିତ ଥିଲେ। ଏମାନଙ୍କ ବ୍ୟତୀତ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଗଣ, ସେଲ୍, ଏନଏମଡିସି, ଏମଓଆଇଏଲ, ମେକନ, ଏମଏସଟିସି ଆଦି କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ମୁଖ୍ୟ, ଆଇଏନଏସଡିଏଜି, ଆଇଏସସିଏ, ବିଆଇଏସଏଜି ଆଦିର ବିଶେଷଜ୍ଞଙ୍କ ସମେତ ଟାଟା ଷ୍ଟିଲ୍, ଜେଏସଡବ୍ଲୁ ଭଳି ଘରୋଇ ଶିଳ୍ପସଂସ୍ଥାର ପ୍ରତିନିଧିମାନେ ଶିବିରରେ ଯୋଗ ଦେଇଛନ୍ତି।
କେନ୍ଦ୍ର ମନ୍ତ୍ରୀ ଏଚ.ଡି କୁମାରସ୍ୱାମୀ କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଭାରତର ଘରୋଇ ଇସ୍ପାତ ଶିଳ୍ପ ଦୃଢ଼ତା ଏବଂ ବିକାଶ ମାର୍ଗରେ ଅଗ୍ରସର ହେଉଛି। ସେ ରାଷ୍ଟ୍ର ନିର୍ମାଣରେ ଇସ୍ପାତ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକାର ଅବତାରଣା କରିଥିଲେ ଏବଂ କ୍ଷମତାକୁ ସୁଦୃଢ଼ କରିବା ଲାଗି ସରକାରଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ପ୍ରତିଦ୍ୱନ୍ଦ୍ୱୀ କ୍ଷମତା ବୃଦ୍ଧି କରିବା ଏବଂ ପରିଚାଳନାଗତ ଉତ୍କର୍ଷତା ହାସଲ ଲାଗି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ମେସିନ ଲର୍ଣ୍ଣିଂ ଏବଂ ଡିଜିଟାଲକରଣ ଭଳି ପ୍ରଯୁକ୍ତିବିଦ୍ୟାକୁ ଗ୍ରହଣ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। କେନ୍ଦ୍ର ମନ୍ତ୍ରୀ ଗବେଷଣା ଏବଂ ବିକାଶରେ ନିରନ୍ତର ନିବେଶର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି କହିଥିଲେ, ସମସ୍ତ ଅଂଶୀଦାରଙ୍କ ସାମୂହିକ ପ୍ରୟାସ ଭାରତର ଇସ୍ପାତ ଶିଳ୍ପର ସାମଗ୍ରିକ ଅଭିବୃଦ୍ଧି ଏବଂ ପ୍ରତିଦ୍ୱନ୍ଦ୍ୱୀ କ୍ଷମତା ସୁନିଶ୍ଚିତ କରିବ, ଯାହା ଦେଶର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ।
କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଭୂପତିରାଜୁ ଶ୍ରୀନିବାସ ବର୍ମା ଭିତ୍ତିଭୂମି ବିକାଶକୁ ଆଗେଇ ନେବାରେ ଇସ୍ପାତର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଚିନ୍ତନ ଶିବିରରେ ଆଲୋଚିତ ସମସ୍ତ ବିଷୟବସ୍ତୁ ଶିଳ୍ପ ପ୍ରଗତି ଏବଂ ଜାତୀୟ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ।
ଓଡ଼ିଶା ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା କହିଥିଲେ, ଓଡିଶା ପାଖରେ ଏକ ଖଣିଜ ସମୃଦ୍ଧ ଏବଂ ଉପକୂଳବର୍ତ୍ତୀ ରାଜ୍ୟ ହେବାର ଅନନ୍ୟ ସୁବିଧା ରହିଛି ଯାହା ରାଜ୍ୟକୁ ଇସ୍ପାତ ସମେତ ବିଭିନ୍ନ ଶିଳ୍ପ ସ୍ଥାପନ ଏବଂ ବିକାଶ ପାଇଁ ଅନୁକୂଳ କରିଥାଏ।
କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟର ସଚିବ ସନ୍ଦୀପ ପୌଣ୍ଡ୍ରିକ୍ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁରୂପ ଏହି କ୍ଷେତ୍ରର ବିକାଶ, ଆହ୍ୱାନ ଏବଂ ଭବିଷ୍ୟତ ଉପରେ ବିଚାର ବିମର୍ଶ କରିବା ପାଇଁ ଏହି ଚିନ୍ତନ ଶିବିର ଭଳି ମଞ୍ଚର ଆୟୋଜନ କରାଯାଉଥିବା କହିଥିଲେ। ସେ ଯୁବ କାର୍ଯ୍ୟନିର୍ବାହୀମାନଙ୍କୁ ସେମାନଙ୍କର ଅଭିଜ୍ଞତା ବାଣ୍ଟିବା ପାଇଁ ଉତ୍ସାହିତ କରିଥିଲେ। ଏହି ଉଦ୍ଦେଶ୍ୟରେ ଏକ ଆଭ୍ୟନ୍ତରୀଣ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା ଏବଂ ଶ୍ରେଷ୍ଠମାନଙ୍କୁ ସେମାନଙ୍କର ଅଭିନବ ଚିନ୍ତାଧାରା ଉପସ୍ଥାପନ କରିବାର ସୁଯୋଗ ଦିଆଯାଇଥିଲା।
ଚିନ୍ତନ ଶିବିର ଆସନ୍ତାକାଲି ମଧ୍ୟ ଜାରି ରହିବ ଏବଂ ଭାରତର ଆର୍ଥିକ ଅଭିବୃଦ୍ଧି ଓ ଶିଳ୍ପ ପ୍ରଗତିକୁ ଆଗେଇ ନେବାରେ ଇସ୍ପାତ କ୍ଷେତ୍ରର ଭୂମିକାକୁ ସୁଦୃଢ଼ କରିବା ପାଇଁ ଦୀର୍ଘକାଳୀନ ରଣନୀତି, ଅଂଶୀଦାରଙ୍କ ସହଯୋଗ ଏବଂ କାର୍ଯ୍ୟକାରିତା ଯୋଗ୍ୟ ଫଳାଫଳ ଉପରେ ବିଚାରବିମର୍ଶ ଅଧିବେଶନ ଅନୁଷ୍ଠିତ ହେବ।