ଝଡ଼ବର୍ଷା ନେଇ ଏହି ସବୁ ଜିଲ୍ଲାକୁ ଅରେଞ୍ଜ୍‌ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ କିଛିଦିନ ହେବ ଜାରି ରହିଥିବା ଖରା ଓ ଗରମରେ ବ୍ରେକ୍‌ ଲାଗିଛି। କମିବ ଦିନ ତାପମାତ୍ରା, ତାତିରୁ ମିଳିବ ଆଶ୍ଵସ୍ତି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆଗାମୀ ପାଞ୍ଚ ଦିନ ଯାଏ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିବ । ଦିନର ତାପମାତ୍ରା ୩ରୁ ୫ ଡିଗ୍ରୀ କମ ରହିବ। ୨୨ ତାରିଖ ଯାଏ ରାଜ୍ୟର କିଛି ସ୍ଥାନରେ ହାଲୁକାର ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଲଗାତାର କିଛି ଦିନ ଧରି ତାତିର ତାଉ ଏବେ କମିଛି। ରବିବାର ପାଗରେ ପରିବର୍ତ୍ତନ ହୋଇଛି। ଝଡ଼ବର୍ଷା ଯୋଗୁଁ ତାପମାତ୍ରାରେ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି।

ରବିବାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଅନୁଗୋଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କୋରାପୁଟ ଆଦି ଜିଲ୍ଲାର ବିଭିନ୍ନ ସ୍ଥାନରେ ଘୂର୍ଣ୍ଣିଝଡ଼ ତାଣ୍ଡବ ରଚିଛି। ସୋମବାର ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଝଡ଼ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ବିଶେଷକରି ମୟୂରଭଞ୍ଜ ଜିଲ୍ଲାକୁ ଘଡ଼ଘଡ଼ି ବିଜୁଳି ସହିତ ପ୍ରବଳ ଝଡ଼ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣଂ ଦିଆଯାଇଛି। ବର୍ଷା ସମୟରେ ୫୦ରୁ ୬୦ କି.ମି. ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ଆବଶ୍ୟକ ନଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି।

ସେହିପରି ସୁନ୍ଦରଗଡ଼, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ରାୟଗଡ଼ା, କୋରାପୁଟ, ମାଲକାନାଗିରି, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବା ନେଇ ସୂଚନା ଦିଆଯାଇଛି। ଆସନ୍ତା ୨୨ ତାରିଖ ଯାଏ ରାଜ୍ୟର ପାଗ ଏପରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Leave A Reply

Your email address will not be published.