ରାଜ୍ୟରେ ଅସ୍ୱାଭାବିକ ଭାବେ ବୃଦ୍ଧି ପାଉଛି ତାପମାତ୍ରା, ହିଟ୍‌ୱେଭ୍ SOP ଜାରି

ଭୁବନେଶ୍ୱର: ରାଜ୍ୟରେ ଅସ୍ୱାଭାବିକ ଭାବେ ବୃଦ୍ଧି ପାଉଛି ତାପମାତ୍ରା। ଆଗାମୀ ଦିନରେ ତାପମାତ୍ରା ମାତ୍ରାଧିକ ରହିବ। ଏହାକୁ ଦୃଷ୍ଟିରେ ରଖି ହିଟ୍‌ୱେଭ୍ SOP ଜାରି ହୋଇଛି। ସମସ୍ତ ULB ପାଇଁ କଠୋର ନିର୍ଦ୍ଦେଶ ରହିଛି। ଅସାମାନ୍ୟ ବର୍ଷା ପରେ ଅନିୟମିତ ଜଳବାୟୁ ପରିସ୍ଥିତି କାରଣରୁ ରାଜ୍ୟରେ ଗ୍ରୀଷ୍ମ ଋତୁରେ ତାପମାତ୍ରା ଅସ୍ୱାଭାବିକ ଭାବେ ବୃଦ୍ଧି ପାଉଛି। ସହର ଅଞ୍ଚଳରେ ବଡ଼ ବଡ଼ ଭବନ, ରାସ୍ତା ଓ ଅବକାଠା ସୂର୍ୟ୍ୟତାପ ଅଧିକ ଆତ୍ମସାତ କରିବାରୁ ତାପମାତ୍ରା ଆହୁରି ବଢ଼ୁଛି । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ହାଉସିଂ ଏବଂ ଅର୍ବନ ଡିଭେଲପମେଣ୍ଟ ବିଭାଗ ପକ୍ଷରୁ ସମସ୍ତ ଅର୍ବନ୍ ଲୋକାଲ୍ ବଡି (ULBs) ପାଇଁ ଏକ ବିସ୍ତୃତ SOP ଜାରି କରାଯାଇଛି ଓ କଠୋର ଭାବେ ଏହାକୁ ଅନୁସରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ପାଣି ଯୋଗାଣରେ ଗୁରୁତ୍ୱ ଦିଆଯାଇଛି। ସମସ୍ତ ସହର ଅଞ୍ଚଳରେ ପ୍ରଚୁର ପାଣି ଯୋଗାଣ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ମିଳିଛି। ପାଇପ୍‌ଲାଇନ୍‌ ସମସ୍ତ ଭଲ ଅବସ୍ଥାରେ ରଖିବା ସହିତ, ଯେକୌଣସି ଅଭିଯୋଗକୁ ୨୪ ଘଣ୍ଟା ମଧ୍ୟରେ ସମାଧାନ କରିବାକୁ କୁହାଯାଇଛି। ଜଳ ଅଭାବ ଅଞ୍ଚଳରେ ଟ୍ୟାଙ୍କର୍‌ ଯୋଗେ ପାଣି ପହଞ୍ଚାଇବା ସହିତ ଆବଶ୍ୟକତା ଅନୁସାରେ ଅତିରିକ୍ତ ଟ୍ୟାଙ୍କର୍‌ ବ୍ୟବସ୍ଥା କରାଯିବ। ସମସ୍ତ ଟ୍ୟୁବ୍‌ୱେଲ୍‌ ଓ ହାଣ୍ଡପମ୍ପକୁ ସଚଳ ରଖିବା ସହିତ ମରାମତି ପାଇଁ ପୂର୍ବରୁ ଆବଶ୍ୟକ ସ୍ପେୟାର୍‌ ପାର୍ଟ୍‌ ମହଜୁଦ ରଖିବାକୁ କୁହାଯାଇଛି। ସହର ସ୍ତରର କାର୍ଯ୍ୟାଳୟରେ କଣ୍ଟ୍ରୋଲ୍‌ ରୁମ୍‌ ଖୋଲି ଜଳ ଅଭାବ ସମ୍ବନ୍ଧୀୟ ଅଭିଯୋଗ ନିରାକରଣ କରାଯିବ।

IMD ପକ୍ଷରୁ ଜାରି ହେଉଥିବା ହିଟ୍‌ୱେଭ୍‌ ସତର୍କବାଣୀକୁ ନିୟମିତ ଭାବେ ମନିଟରିଂ କରାଯିବ। ଅନ୍ୟପଟେ ସହରର ରାସ୍ତାଘାଟ, ବସ୍‌ଷ୍ଟାଣ୍ଡ, ରେଲୱେ ଷ୍ଟେସନ୍‌, ବଜାର ଓ ସରକାରୀ କାର୍ଯ୍ୟାଳୟ ନିକଟରେ ‘ପାଣିୟ ଜଳ ବିତରଣ କେନ୍ଦ୍ର’ ଖୋଲିବାକୁ ନିର୍ଦ୍ଦେଶ ମିଳିଛି। ସାଧାରଣ ଲୋକଙ୍କୁ ଘର ଆଗରେ ପକ୍ଷୀ ଓ ପଶୁ ପାଇଁ ପାଣି ରଖିବାକୁ ଓ ସ୍ୱଚ୍ଛତା ରକ୍ଷା କରିବାକୁ ମଧ୍ୟ ନିର୍ଦ୍ଦେଶ ମିଳିଛି। ସମସ୍ତ ସମ୍ପର୍କିତ ବିଭାଗ ଯଥା ପୋଲିସ୍, ଫରେଷ୍ଟ ଓ ପଲ୍ୟୁସନ୍‌ କଣ୍ଟ୍ରୋଲ୍‌ ବୋର୍ଡକୁ ନିଜ ନିଜ ଦାୟିତ୍ୱ କଠୋର ଭାବେ ପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.