ଲୋକସଭା ନିର୍ବାଚନ ଲଢ଼ିବେ : କଙ୍ଗନା ରାନାୱତ

ମୁମ୍ବାଇ: ରାଜନୀତିରେ ପ୍ରବେଶ କରିବେ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ୍। ନିଜ ବୟାନ ମାଧ୍ୟମରେ ଅଭିନେତ୍ରୀ ଦେଲେ ସଙ୍କେତ। ବଲିଉଡ ଅଭିନେତ୍ରୀ କଙ୍ଗନା ଶୁକ୍ରବାର ଦିନ ରାଜନୀତିରେ ପ୍ରବେଶ କରିବେ ବୋଲି କହିଛନ୍ତି। ତାଙ୍କ କହିବା ମୁତାବକ, ଯଦି ଭଗବାନ କୃଷ୍ଣ ତାଙ୍କୁ ଆଶୀର୍ବାଦ କରନ୍ତି ତେବେ ସେ ଆସନ୍ତା ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ।କଙ୍ଗନା ଆଜି ସକାଳେ ଭଗବାନ କୃଷ୍ଣଙ୍କ ପ୍ରସିଦ୍ଧ ଦ୍ୱାରକାଧିଶ ମନ୍ଦିରରେ ପ୍ରାର୍ଥନା କରିବାକୁ ଆସିଥିଲେ। ଯେତେବେଳେ ସାମ୍ବାଦିକମାନେ ତାଙ୍କୁ ପଚାରିଥିଲେ ଯେ ସେ ଆଗାମୀ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ କି ନାହିଁ, ଉତ୍ତରରେ କଙ୍ଗନା କହିଥିଲେ, “ଭଗବାନ କୃଷ୍ଣଙ୍କ ଆଶୀର୍ବାଦ ରହିଲେ ଲଢ଼ିବି।”

ଏହା ସହ ବିଜେପିର ପ୍ରଶଂସା କରି କଙ୍ଗନା କହିଥିଲେ, “ବିଜେପି ସରକାରଙ୍କ ଉଦ୍ୟମ ପାଇଁ ୬୦୦ବର୍ଷର ସଂଘର୍ଷ ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେଉଛି। ଆମେ ବଡ଼ ଉତ୍ସବ ସହିତ ରାମ ମନ୍ଦିର ପ୍ରତିଷ୍ଠା କରିବୁ। ସାରା ବିଶ୍ୱରେ ସନାତନ ଧର୍ମର ପତାକା ଉତ୍ତୋଳନ କରାଯିବା ଉଚିତ୍।”

ତେବେ କଙ୍ଗନା ଏବେ ନିଜ ଫିଲ୍ମ ‘ତେଜସ୍’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ଚଳଚ୍ଚିତ୍ର ମାଧ୍ୟମରେ କଙ୍ଗନା ଏକ ବର୍ଷ ପରେ ବଡ ପରଦାକୁ ଫେରିଛନ୍ତି। ସେ ‘ପଙ୍ଗା’, ‘ଥଲାଇବୀ’, ‘ଧାକଡ’ ଏବଂ ‘ଚନ୍ଦ୍ରମୁଖୀ ୨’ ଭଳି ଫିଲ୍ମରେ ନଜର ଆସିଥିଲେ ବି ଲଗାତାର ତାଙ୍କ ଫିଲ୍ମ ଫ୍ଲପ ହେବାରେ ଲାଗିଛି। ଫିଲ୍ମ ‘ତେଜସ୍’କୁ ନେଇ କଙ୍ଗନା ଆଶାବାଦୀ ଥିବା ବେଳେ ଏହି ଫିଲ୍ମ ମଧ୍ୟ ଦର୍ଶକଙ୍କ ମନ କିଣିପାରି ନାହିଁ ବୋଲି ବକ୍ସ ଅଫିସ ଆୟରୁ ସ୍ପଷ୍ଟ ହୋଇଛି।

Leave A Reply

Your email address will not be published.