ଲୋକସଭା ନିର୍ବାଚନ ପ୍ରଚାର ପାଇଁ କୋର୍ଟରେ ଜାମିନ ଆବେଦନ କଲେ ମନୀଷ ସିସୋଦିଆ

ଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ୍ ମନୀଷ ସିସୋଦିଆ ଲୋକସଭା ନିର୍ବାଚନର ପ୍ରଚାର ପାଇଁ ରାଉସ୍ ଆଭେନ୍ୟୁ କୋର୍ଟରେ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ କରିଛନ୍ତି । ସେପଟେ ସିବିଆଇ ମାମଲାରେ ଶୁଣାଣି କରି କୋର୍ଟ ଏପ୍ରିଲ ୨୪ ପର୍ଯ୍ୟନ୍ତ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ବଢ଼ାଇ ଦେଇଛନ୍ତି । ବୁଧବାର ରାଉସ୍ ଆଭେନ୍ୟୁ କୋର୍ଟରେ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହୋଇଥିଲା । ଇଡି ଜାମିନ ଆବେଦନକୁ ବିରୋଧ କରି କହିଥିଲା  ଆମ ପାଖରେ ପ୍ରମାଣ ଅଛି ମନୀଷ ସିସୋଦିଆ ଏକ୍ସପର୍ଟଙ୍କ ରିପୋର୍ଟରୁ ବିଚ୍ୟୁତ ହେବା ପାଇଁ ଇମେଲ କରିଛନ୍ତି ।

ଏହା ପରେ କୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଏପ୍ରିଲ୍ ୧୫ ତାରିଖ ଯାଏଁ ପରବର୍ତ୍ତୀ କାର୍ଯ୍ୟପ୍ରକ୍ରିୟା  ଧାର୍ଯ୍ୟ କରିଛନ୍ତି ।ସୂଚନା ଅନୂସାରେ, ମନୀଷ ସିସୋଦିଆ ନୂତନ ମଦ ନୀତି ଘୋଷଣା ୨୦୨୧ ମାର୍ଚ୍ଚ ୨୨ରେ କରିଥିଲେ । ୨୦୨୧ ନଭେମ୍ବର ୧୭ରେ ନୂତନ ମଦ ନୀତି ଲାଗୁ ହେଲା। ନୂତନ ନୀତି ଲାଗୁ ପରେ ସରକାର ମଦ ବ୍ୟବସାୟରୁ ବାହାରି ଆସିଥିଲେ । ସରକାରଙ୍କ ନୂତନ ନୀତି ଆଣିବା ପଛରେ କାରଣ ଥିଲା ଯେ ଏହାଦ୍ୱାରା ମାଫିଆ ରାଜ୍‌ ଶେଷ ହେବ ଯାହା ଫଳରେ ସରକାରଙ୍କ ରାଜସ୍ୱ ବୃଦ୍ଧି ପାଇବ । କିନ୍ତୁ ନୂତନ ନୀତି ଆରମ୍ଭରୁ ହିଁ ବିବାଦ ଲାଗି ରହିଥିଲା ।

ବିବାଦ ଅଧିକ ହେବା ପରେ ସରକାର ୨୦୨୨ ଜୁଲାଇ ୨୮ରେ ମଦ ନୀତିକୁ ରଦ୍ଦ କରି ପୁନର୍ବାର ପୁରୁଣା ନୀତି କାର୍ଯ୍ୟକାରୀ କରିଥିଲେ ।ପୂର୍ବତନ ଡେପୁଟି ମୁଖ୍ୟମନ୍ତ୍ରୀଙ୍କୁ ମଦ ଦୁର୍ନୀତି  ମାମଲା ପାଇଁ ଫେବୃଆରୀ ୨୬, ୨୦୨୩ ରେ ଗିରଫ କରାଯାଇଥିଲା। ମାର୍ଚ୍ଚ ୯, ୨୦୨୩ ରେ ଇଡି ଅର୍ଥ କାରବାର ମାମଲାରେ ସିସୋଦିଆଙ୍କୁ ଗିରଫ କରିଥିଲା। ଫଳରେ ସିସୋଦିଆ ଫେବୃଆରୀ ୨୮, ୨୦୨୩ ରେ ଦିଲ୍ଲୀ କ୍ୟାବିନେଟରୁ ଇସ୍ତଫା ଦେଇଥିଲେ।

Leave A Reply

Your email address will not be published.