ନୂଆଦିଲ୍ଲୀ: ନିଜର ଜଣେ ପ୍ରାର୍ଥୀଙ୍କୁ ଭଗବାନ ଶିବଙ୍କ ସହ ତୁଳନା କରି ବିବାଦ ଘେରକୁ ଆସିଛନ୍ତି ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି) ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ଛତିଶଗଡ଼ର ଜଞ୍ଜଗିର-ଚମ୍ପା ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ସଭାରେ ସେ ଏପରି କରିଥିବା ନଜର ଆସିଛି। ପ୍ରଚାର ସଭାରେ ପ୍ରାର୍ଥୀଙ୍କୁ ପରିଚିତ କରାଇ ଖଡଗେ କହିଥିଲେ, ଶିବ କୁମାର ଦହରିଆ ଏହି ନିର୍ବାଚନମଣ୍ଡଳୀରୁ ଲଢ଼ୁଛନ୍ତି। ଯେହେତୁ ତାଙ୍କ ନାମ ଶିବ, ସେ ଭଗବାନ ରାମଙ୍କ ସହ ଲଢ଼ିବାକୁ କ୍ଷମତା ରଖିଛନ୍ତି। ସେ ବରାବର ଭାବେ ରାମଙ୍କ ମୁକାବିଲା କରିପାରିବେ, କାରଣ ସେ ଶିବ।
ଖଡଗେ କେବଳ ଏତିକିରେ ଅଟକି ନ ଥିଲେ। ସେ ବିଜେପିକୁ ଆକ୍ଷେପ କରି ଆହୁରି କହିଥିଲେ ଯେ, ଏପରି କି ତାଙ୍କ ନାମ ବି ମଲ୍ଲିକାର୍ଜୁନ, ଯାହା ଭଗବାନ ଶିବଙ୍କ ନାମର ପ୍ରତିଶବ୍ଦ। ମଲ୍ଲିକାର୍ଜୁନ ହେଉଛି ଶିବଙ୍କ ଜ୍ୟୋତିର୍ଲିଙ୍ଗର ନାମ। ତେଣୁ ବିଜେପି ଧର୍ମକୁ ନେଇ ରାଜନୀତି କରିବାରୁ କ୍ଷାନ୍ତ ରହୁ।
https://x.com/ANI/status/1785576363958931656
ଅନ୍ୟପଟେ ଖଡଗେଙ୍କ ଏପରି ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛି ବିଜେପି। ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସେହଜାଦ ପୁନାଓ୍ବାଲା ଏକ୍ସ’ରେ ଏକ ପୋଷ୍ଟ କରି କହିଛନ୍ତି, କଂଗ୍ରେସ ଏକ ନିର୍ଦିଷ୍ଟ ସମ୍ପ୍ରଦାୟକୁ ଖୁସି କରିବା ଲାଗି ହିନ୍ଦୁ ଦେବଦେବୀଙ୍କୁ ଅସମ୍ମାନ କରୁଛି। ହିନ୍ଦୁ ବିରୋଧୀ କଂଗ୍ରେସ ସର୍ବଦା ବିଭାଜନ ଏବଂ ଶାସନ ନୀତି ଆପଣାଉଛି। ଏପରି କି ଭଗବାନଙ୍କୁ ମଧ୍ୟ ଛାଡୁନାହିଁ। ପୂର୍ବତନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ବି ଖଡଗେଙ୍କ ଏପରି ମନ୍ତବ୍ୟକୁ ତୀବ୍ର ସମାଲୋଚନା କରିବା ସହିତ ଯେଉଁମାନେ ପ୍ରାଣ ପ୍ରତିଷ୍ଠାକୁ ଆସି ନ ଥିଲେ ସେମାନେ ଜାଣିବା ଉଚିତ ଯେ, ଲଙ୍କା ବିଜୟ ପୂର୍ବରୁ ଭଗବାନ ଶ୍ରୀରାମ ପ୍ରଭୁ ଶିବଙ୍କୁ ଆରାଧନା କରିଥିଲେ।