ମୟୂରଭଞ୍ଜ: ଗଣତନ୍ତ୍ରର ମହାପର୍ବ ଆରମ୍ଭ ହୋଇଛି । ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଥିବାବେଳେ ଦିନକୁ ଦିନ ଓଡ଼ିଶାରେ ପ୍ରଚାର ଜୋରଧରିଛି ।ଏହିମଧ୍ୟରେ କରଞ୍ଜିଆରେ ଭିକେ ପାଣ୍ଡିଆନ ଆଜି ପ୍ରଚାର କରିଛନ୍ତି ।ସେ କହିଛନ୍ତି ଠାକୁରମୁଣ୍ଡା-କରଞ୍ଜିଆ ସହିତ ମୋର ବହୁତ ପୁରୁଣା ସମ୍ପର୍କ । ୨୦ ବର୍ଷ ତଳେ ମୁଁ ଏଠାରେ କଲେକ୍ଟର ଥିଲି । ସେତେବେଳେ ଏଠାରେ ଭଲ ରାସ୍ତା ନଥିଲା ଲୋକମାନେ ବହୁତ ଅସୁବିଧାରେ ଯିବା ଆସିବା କରୁଥିଲେ । କିନ୍ତୁ ଆଜି ମୁଖ୍ୟମନ୍ତ୍ରୀ ଏ ଅଞ୍ଚଳର ବହୁ ପରିବର୍ତ୍ତନ ଘଟାଇଛନ୍ତି । ଆପଣଙ୍କ ଭାଷା, କଳା, ସଂସ୍କୃତି, ପୂଜାସ୍ଥଳୀର ଉନ୍ନତି ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି ନବୀନ ବାବୁ । ଆଦିବାସୀ ଭାଇଭଉଣୀମାନେ କୋର୍ଟକଚେରୀ ଆସି ହେଉଥିବା ହଇରାଣକୁ ମୁକ୍ତ କରିବା ପାଇଁ ସେମାନଙ୍କ ଉପରୁ ୫୦ ହଜାରରୁ ଅଧିକ ପୋଲିସ୍, ଅବକାରୀ ଓ ଜଙ୍ଗଲ କେଶ୍ ରଦ୍ଦ କରିଛନ୍ତି ।
ସେହିପରି ସେ ବିରୋଧି ଦଳ ବିଜେପି ଉପରେ ମଧ୍ୟ ବର୍ଷିଛନ୍ତି । ବିଜେପି ନେତାମାନେ ଓଡିଶା ଆସି ମିଛ କଥା କହିବା ସହ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ସେମାନେ କହୁଛନ୍ତି ବିଜୁଳି ମାଗଣା ଦେବେ । ଏଥିପାଇଁ ଆପଣଙ୍କୁ ୫୦ ହଜାର ଟଙ୍କା ଜମା କରିବାକୁ ପଡ଼ିବ । ସୋଲାର ପ୍ୟାନେଲ ମାଧ୍ୟମରେ ଆପଣମାନେ ସୂର୍ଯ୍ୟକିରଣରୁ ବିଜୁଳି ପାଇବେ । ଏହା ହେଉଛି ବିରୋଧୀ ଦଳର ମାଗଣା ବିଜୁଳି । ବିରୋଧି ଦଳ ଦିନରେ ଲଣ୍ଠନ ଦେଖାଉଛନ୍ତି ବୋଲି କହିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ । କରଞ୍ଜିଆ ନିର୍ବାଚନ ମଣ୍ଡଳୀରେ ପିଇବା ପାଣି, ଦେବକୁଣ୍ଡର ଉନ୍ନତି, ରାସ୍ତା ଓ ସେତୁ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ଯୋଗାଇ ଦେଇଛନ୍ତି ।ଜଳସେଚନର ସୁବିଧା ପାଇଁ ୧୨୩୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ବୋଲି କରଞ୍ଜିଆ ସଭାରେ କହିଛନ୍ତି ଭିକେ ପାଣ୍ଡିଆନ ।