ନୂଆଦିଲ୍ଲୀ: କିଏ ହେବେ ଅଷ୍ଟାଦଶ ଲୋକସଭାର ବାଚସ୍ପତି ? ବୁଧବାର ବାଚସ୍ପତି ପଦ ଲାଗି ନିର୍ବାଚନ ଅନୁଷ୍ଠିତ ହେବ। ଆଜି ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ଏନଡିଏ। ମଧ୍ୟାହ୍ନ ୧୨ଟା ସୁଦ୍ଧା ନାମାଙ୍କନ ପତ୍ର ଦାଖଲ କରାଯିବାର ସମୟ ଧାର୍ଯ୍ୟ ହୋଇଛି। ଏହି ପଦକୁ ନିଜ ପାଖରେ ରଖିବାକୁ ଚାହୁଁଛି ବିଜେପି। ତେବେ ଦଳ ଓମ୍ ବିର୍ଲାଙ୍କୁ ପୁଣିଥରେ ବାଚସ୍ପତି କରିପାରେ।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ବାଚସ୍ପତିଙ୍କ ନାମ ଘୋଷଣା କରିବେ। ବାଚସ୍ପତି ରେସରେ ସବୁଠୁ ଆଗରେ ଓମ୍ ବିର୍ଲାଙ୍କ ନାଁ ଥିବାବେଳେ ଆନ୍ଧ୍ରପ୍ରଦେଶ ବିଜେପି ସଭାପତି ଡି ପୁରନ୍ଦେଶ୍ୱରୀ, ବରିଷ୍ଠ ବିଜେପି ନେତା ରାଧାମୋହନ ସିଂହ ଏବଂ ଭର୍ତ୍ତୃହରି ମହତାବଙ୍କ ନାଁକୁ ନେଇ ଚର୍ଚ୍ଚା ଲାଗି ରହିଛି । ଅନ୍ୟପଟେ ବିଜେପିର ସହଯୋଗୀ ଦଳ ଜେଡିୟୁ ଓ ଟିଡିପି ପକ୍ଷରୁ ମଧ୍ୟ ଏହି ପଦକୁ ନେଇ ଦାବି ଉଠିଥିଲା। ପରବର୍ତ୍ତୀ ସମୟରେ ଜେଡିୟୁ ବିଜେପିର ଯେକୌଣସି ନିଷ୍ପତ୍ତିର ସମର୍ଥନ କରିବ ବୋଲି ଘୋଷଣା କରିଛି।
ସୂଚନା ଥାଉକି, ୧୮ତମ ଲୋକସଭାର ପ୍ରଥମ ଅଧିବେଶନ କାଲିଠୁ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ୨୮୦ ଜଣ ଲୋକସଭା ସାଂସଦ ଶପଥ ନେଇଛନ୍ତି । ଜୁନ ୨୭ରେ ସଂସଦର ମିଳିତ ଅଧିବେଶନ ହେବାକୁ ଥିବାବେଳେ ସେଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହକୁ ସମ୍ବୋଧିତ କରିବେ ।