ଅନୁଗୋଳ ଗସ୍ତରେ କେନ୍ଦ୍ରମନ୍ତ୍ର
*ଲୋକଙ୍କ କଲ୍ୟାଣ ଓ ସୁବିଧାକୁ ସର୍ବୋଚ୍ଚ ପ୍ରାଥମିକତାରେ ରଖି କାର୍ଯ୍ୟ କରିବା – ଧର୍ମେନ୍ଦ୍ର ପ୍ରଧାନ*
• ବିଭିନ୍ନ ମନ୍ଦିରରେ ଦର୍ଶନ ସହ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଲେ
• ସଡକପଥ, ପାନୀୟ ଜଳ, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟସେବା ସହ ଜଡ଼ିତ ବିଷୟରେ କଲେ ଆଲୋଚନା
• “ମା’ ପାଇଁ ଗଛଟିଏ” ଅଭିଯାନରେ ସାମିଲ ହୋଇ ତାଳଚେରରେ ନିଜ ମା’ଙ୍କ ସହ ଗଛ ଲଗାଇଲେ
• ପରିବେଶକୁ ଆହୁରି ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ଗଛ ଲଗାଇବା ଏବଂ ତାହାର ଯତ୍ନ ନେବା
• ମା’ ହିଙ୍ଗୁଳା ମନ୍ଦିର, ବୁଢୀ ଠାକୁରାଣୀ ମନ୍ଦିରରେ ଦର୍ଶନ କଲେ
• ଜିନ୍ଦଲ ନଗର ଜଗନ୍ନାଥ ମନ୍ଦିର, କୋଶଳା ସ୍ଥିତ ମା’ ରାମଚଣ୍ଡୀ ମନ୍ଦିର, ବ୍ରାହ୍ମଣବିଲରେ ମା’ ଡାକେଶ୍ୱରୀ ଦେବୀ ଏବଂ ପାତ୍ରପଡ଼ାର ମା’ ବାୟାଣୀ ପୀଠରେ ଆଶୀର୍ବାଦ ନେଲେ
ଅନୁଗୋଳ, ଜୁଲାଇ ୦୬ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନିକିଆ ଅନୁଗୋଳ ଗସ୍ତରେ ପ୍ରଶାସନିକ ଅଧିକାରୀଙ୍କ ସହିତ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇଛନ୍ତି । ଜିଲ୍ଲାର ବିଭିନ୍ନ ମନ୍ଦିରରେ ଦେବାଦେବୀଙ୍କ ଦର୍ଶନ ସହ ଗସ୍ତ କାଳରେ “ମା’ ପାଇଁ ଗଛଟିଏ” ଅଭିଯାନରେ ସାମିଲ ହୋଇ ମା’ଙ୍କ ସହ ଗଛ ଲଗାଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ଶ୍ରୀ ପ୍ରଧାନ ଆଜି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିର, ଅନୁଗୋଳ ବୁଢୀ ଠାକୁରାଣୀ ମନ୍ଦିରରେ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ସେହିପରି ଜିନ୍ଦଲ ନଗର ସ୍ଥିତ ଜଗନ୍ନାଥ ମନ୍ଦିର, ଛେଣ୍ଡିପଦା କୋଶଳା ସ୍ଥିତ ମା’ ରାମଚଣ୍ଡୀ ମନ୍ଦିର, ବ୍ରାହ୍ମଣବିଲ ଗ୍ରାମରେ ମା’ ଡାକେଶ୍ୱରୀ ଦେବୀ ଏବଂ ପାତ୍ରପଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ବାୟାଣୀ ପୀଠରେ ପୂଜାର୍ଚ୍ଚନା କରିଥିଲେ । ପରେ ବ୍ରାହ୍ମଣବିଲ ଗ୍ରାମରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ବିଜେପିର ବିଜୟ ପାଇଁ ଗ୍ରାମବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଭଗବାନଙ୍କ ଆଶୀର୍ବାଦରୁ ଓଡିଶାରେ ଏକ କଲ୍ୟାଣକାରୀ ସରକାର ଗଠନ ହୋଇପାରିଛି । ଏଥିପାଇଁ ଜନସାଧାରଣଙ୍କୁ କୃତଜ୍ଞତା କରିବା ସହ ସେମାନଙ୍କ ସେବା ପାଇଁ ସର୍ବଦା ଆଗଭର ରହିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ପରବର୍ତ୍ତୀ ପର୍ଯ୍ୟାୟରେ ତାଳଚେରରେ “ମା’ ପାଇଁ ଗଛଟିଏ” ଅଭିଯାନରେ ନିଜ ମା’ଙ୍କ ସହ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ । ଦୀନଦୟାଲ ନଗରରେ ନିଜ ମା’ ବସନ୍ତ ମଞ୍ଜରୀ ପ୍ରଧାନଙ୍କ ସହ ସେ ବୃକ୍ଷରୋପଣ କରିଛନ୍ତି । ସେ କହିଛନ୍ତି ଯେ ‘ବିଶ୍ୱ ପରିବେଶ ଦିବସ’ ଅବସରରେ “ମା’ ପାଇଁ ଗଛଟିଏ” ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିନବ ଅଭିଯାନରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି । ଆମର ପରିବେଶକୁ ଆହୁରି ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇବା ସହ ତାହାର ଯତ୍ନ ନେବା ଦରକାର । ଏ ଦିଗରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ସେ ଆହ୍ୱାନ କରିଛନ୍ତି ।

ଏହାବ୍ୟତିତ ଅନୁଗୋଳ ଆୟୋଜିତ ରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ଅନୁଗୋଳ, ପାଲଲହଡ଼ା ଏବଂ ଛେଣ୍ଡିପଦା ବିଧାୟକ ଏବଂ ପ୍ରଶାସନିକ ଅଧିକାରୀଙ୍କ ସହ ଯୋଗଦେଇଥିଲେ କେନ୍ଦ୍ରମନ୍ତ୍ରୀ । ସଡକପଥ, ପାନୀୟ ଜଳ, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟସେବା ସହ ଜଡ଼ିତ ବିଷୟରେ ଆଲୋଚନା କରିବା ସହ ଲୋକଙ୍କ ପାଇଁ କାମ କରିବାକୁ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଲୋକଙ୍କ କଲ୍ୟାଣ ଓ ସୁବିଧାକୁ ସର୍ବୋଚ୍ଚ ପ୍ରାଥମିକତାରେ ରଖି କାର୍ଯ୍ୟ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ।