ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନର ନାଁ ପରିବର୍ତ୍ତନ କରି ଓଡିଶା ରାଜ୍ୟ କ୍ରୀଡା ସମ୍ମାନ କରିଛନ୍ତି ରାଜ୍ୟ ସରକାର। ଏହାକୁ ନେଇ ବର୍ଷିଛନ୍ତି ବିଜେଡି ବିଧାୟକ ଡ. ଅରୁଣ କୁମାର ସାହୁ।
ସେ ବିଜେପି ସରକାରକୁ ସମାଲୋଚନ କରି କହିଛନ୍ତି, କାକୁଡି ଓ ଛୁରୀ ତାଙ୍କର । ତେଣୁ ସେମାନେ ଯେମିତି ପାରିବେ ସେମିତି କାଟିବେ । ବେଳେବେଳେ କାକୁଡି କାଟିଲା ବେଳେ ମୁଣ୍ଡିଟି ପିତା ଲାଗେ । ତେଣୁ ନୂଆ ସରକାରଙ୍କୁ କିଛି ଅନୁରୋଧ ରହିବ । ଏମିତି କୌଣସି କାମ କରନ୍ତୁ ନାହିଁ ଯେଉଁଥିରେ ଓଡ଼ିଶାବାସୀ ମର୍ମାହତ ହେବେ ।
ବିଜୁବାବୁ ଜଣେ ଦିବଙ୍ଗତ ନେତା ଓ ଓଡିଶାର ମଉଡ଼ମଣି। ତାଙ୍କୁ ନେଇ ଆମେ ଗର୍ବ କରୁଛୁ। ଯାହାଙ୍କୁ ସବୁ ରାଜନୈତିକ ଦଳ ସମ୍ମାନ କରୁଛନ୍ତି। ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସହ କାର୍ଯ୍ୟ କରିଛନ୍ତି। ଭାରତର ସ୍ୱାଧିନତା ସଂଗ୍ରାମରେ ତାଙ୍କର ଭୂମିକା ରହିଛି। ତେବେ ଏଭଳି ନିଷ୍ପତ୍ତିରୁ ବିଜେପି ସରକାର କ୍ଷାନ୍ତ ରହିବାକୁ ଆମେ ଅନୁରୋଧ କରୁଛୁ ବୋଲି କହିଛନ୍ତି ଅରୁଣ ସାହୁ।