ବଦଳିଲା କ୍ରୀଡା ପୁରସ୍କାର ନାଁ, ହଟିଲା ବିଜୁ ବାବୁଙ୍କ ନାମ, ଜାଣନ୍ତୁ ନୂଆ ନାଁ କ’ଣ?…

ଭୁବନେଶ୍ବର: ରାଜ୍ୟ କ୍ରୀଡା ପୁରସ୍କାରର ବଦଳିଲା ନାଁ । ହଟିଲା ବିଜୁ ପଟ୍ଟନାୟକଙ୍କ ନାମ । ଏହା ବଦଳରେ କ୍ରୀଡା ପୁରସ୍କାରର ନାମ “ଓଡିଶା ରାଜ୍ୟ କ୍ରୀଡା ପୁରସ୍କାର ସମ୍ମାନ” ବୋଲି ଘୋଷଣା କରିଛି କ୍ରୀଡା ବିଭାଗ ।

ତେବେ ପ୍ରତିଭାବାନ କ୍ରୀଡାବିତମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ୨୦୦୧ରୁ ତତ୍କାଳୀନ ରାଜ୍ୟ ସରକାର ସ୍ବର୍ଗତ ବିଜୁ ପଟ୍ଟନାୟକ ଶାସନକାଳରେ କ୍ରୀଡାବିଭାଗ ପକ୍ଷରୁ “ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର” ଯୋଜନା ଆରମ୍ଭ ହୋଇଥିଲା । ଯାହା ରାଜ୍ୟର କ୍ରୀଡ଼ା କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନ । ଯେଉଁମାନେ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରିଛନ୍ତି, ଏହା ସହିତ ଏକ ସକ୍ରିୟ କ୍ରୀଡ଼ା କ୍ୟାରିଅରରୁ ଅବସର ନେବା ପରେ ବି ତାଙ୍କ ବ୍ୟକ୍ତିଗତ ସାମର୍ଥ୍ୟରେ କ୍ରୀଡ଼ା ଏବଂ ଖେଳର ପ୍ରଚାରରେ ଯୋଗଦାନ ଜାରି ରଖିଛନ୍ତି ସେମାନଙ୍କୁ ଏହି ପୁରସ୍କାର ଆଜୀବନ ସଫଳତା ପାଇଁ ସମ୍ମାନ ପୂର୍ବକ ପ୍ରଦାନ କରାଯାଇଥାଏ । ମୋଟ ୮ଟି ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯାଏ ।

ତେବେ ସେବେ ପରଠାରୁ ପ୍ରତିବର୍ଷ ଜାତୀୟ କ୍ରୀଡା ଦିବସରେ ଓଡିଶାର ସଫଳ କ୍ରୀଡାବିତ, କୋଚ୍, କ୍ରୀଡା ସାମ୍ବାଦିକ ଓ କ୍ରୀଡା ଅନୁଷ୍ଠାନକୁ ଏହି ସମ୍ମାନ ପ୍ରଦାନ ହୋଇଆସୁଅଛି । ଯେଉଁଥିରେ ଏକ ପୁରସ୍କାର ସହ ୩ ଲକ୍ଷ ପୁରସ୍କାର ରାଶି ମଧ୍ୟ ପ୍ରଦାନ କରାଯାଏ । ତେବେ ଏନେଇ ପ୍ରତିବର୍ଷ ଜାନୁୟାରୀରେ ବିଜ୍ଞାପନ ବାହାରେ । ବିଭିନ୍ନ କ୍ରୀଡାବିତମାନେ ଏଥିରେ ନିଜର ନାମ ଭରନ୍ତି । ଏହା ମଧ୍ୟରୁ ଉପଯୁକ୍ତ କ୍ରୀଡାବିତଙ୍କୁ ବାଛି ଏହି ସମ୍ମାନ ପ୍ରଦାନ କରନ୍ତି ରାଜ୍ୟ ସରକାର । ତେବେ ଏଥିରେ ଥିବା ସମସ୍ତ ନିୟମ ସେହିପରି ବଳବତ୍ତର ରହିଥିବା ବେଳେ ଏବେ ଖାଲି ଏହି ପୁରସ୍କାରର ନାଁ ପରିବର୍ତ୍ତନ କରିଛନ୍ତି ନୂଆ ବିଜେପି ସରକାର ।

ତେବେ କହିରଖୁଛୁ, ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ ପୂର୍ବ ସରକାରଙ୍କ ବିଭିନ୍ନ ଯୋଜନାର ରଙ୍ଗ ଓ ନାମ ବଦଳାଉଛନ୍ତି ନୂଆ ସରକାର । ଏହିକ୍ରମରେ ଆଜି “ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର”ର ନାମ ବଦଲାଇ ଏହାକୁ “ଓଡିଶା ରାଜ୍ୟ କ୍ରୀଡା ପୁରସ୍କାର ସମ୍ମାନ” ନାମରେ ନାମିତ କରିଛନ୍ତି ରାଜ୍ୟ ସରକାର । ଯାହା ଆଗାମୀ ଜାତୀୟ କ୍ରୀଡା ଦିବସରେ “ଓଡିଶା ରାଜ୍ୟ କ୍ରୀଡା ପୁରସ୍କାର ସମ୍ମାନ” ନାମରେ ପ୍ରଦାନ କରାଯିବ ।

Leave A Reply

Your email address will not be published.