ଭୁବନେଶ୍ବର: ବଜେଟରେ ବିହାର, ଆନ୍ଧ୍ରପ୍ରଦେଶକୁ ଓଜାଡିଲେ । ଓଡିଶା ବେଳକୁ ଆଖି ବୁଜିଦେଲେ । କେନ୍ଦ୍ର ବଜେଟରେ ପୁଣି ଓଡିଶା ନିରାଶ । କେନ୍ଦ୍ର ବଜେଟ୍ ଓଡିଶା ବିରୋଧୀ ବୋଲି ବିଜେଡି କହିଛି । କେନ୍ଦ୍ର ବଜେଟ୍ ଉପସ୍ଥାପନ ବେଳେ ରାଜ୍ୟସଭାରୁ କକ୍ଷତ୍ୟାଗ କରିଥିଲେ ବିଜେଡି ସାଂସଦ । କେନ୍ଦ୍ର ବଜେଟରେ ଓଡିଶାକୁ ଅବହେଳାକୁ ବିରୋଧ କରିଛି ବିଜେଡି। ଏଥିସହ ଆନ୍ଧ୍ରପ୍ରଦେଶରେ ପୋଲାଭରମ ପ୍ରକଳ୍ପ କାମ ଶୀଘ୍ର ସାରିବା ନେଇ କେନ୍ଦ୍ର ସରକାରଙ୍କ ଘୋଷଣାରେ କଡା ପ୍ରତିକ୍ରିୟା ରଖିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ।
ଓଡିଶା ଆଖିରେ ‘ପୋଲାଭରମ୍’ ଲୁହ
ଆନ୍ଧ୍ରପ୍ରଦେଶରେ ଶୀଘ୍ର ପୋଲାଭରମ ପ୍ରକଳ୍ପ ସାରିବାକୁ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ତେବେ ଏହାକୁ ନେଇ ତେଜିଛି ରାଜ୍ୟ ରାଜନୀତି । ପୋଲାଭରମ ପ୍ରକଳ୍ପ ସଂପର୍କରେ ଘୋଷଣା ବେଳେ ଓଡିଶା ସ୍ବାର୍ଥକୁ ଦୃଷ୍ଟିରେ ରଖାଯାଇନି । କେନ୍ଦ୍ରର ଏଭଳି ଘୋଷଣା ଓଡିଶା ସ୍ବାର୍ଥ ପ୍ରତି ପ୍ରଚଣ୍ଡ ଆଘାତ ବୋଲି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । କେନ୍ଦ୍ର ସରକାର ସହଯୋଗୀ ଦଳଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ଓଡିଶା ସ୍ବାର୍ଥକୁ ମାରି ଦେଉଛନ୍ତି । ନିଜ ରାଜନୈତିକ ସ୍ବାର୍ଥ ପାଇଁ ରାଜ୍ୟ-ରାଜ୍ୟ ଭିତରେ ବିଭେଦ ସୃଷ୍ଟି କରୁଛନ୍ତି । କେନ୍ଦ୍ର ପକ୍ଷପାତିତା କରୁଥିବା ପ୍ରସନ୍ନ କହିଛନ୍ତି । ସେପଟେ ପୋଲାଭରମ ପ୍ରକଳ୍ପକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛି କଂଗ୍ରେସ । କେନ୍ଦ୍ର, ରାଜ୍ୟ ସହ ଆନ୍ଧ୍ରରେ ବି ବିଜେପି ଓ ଏନଡିଏ ସହଯୋଗୀଙ୍କ ସରକାର ଥିବା ବେଳେ ଓଡିଶାକୁ ଅଣଦେଖା ଦୁର୍ଭାଗ୍ୟଜନକ ବୋଲି କଂଗ୍ରେସ କହିଛି ।
ବଜେଟକୁ ବିରୋଧ ବିଜେଡିର କକ୍ଷତ୍ୟାଗ
ଆନ୍ଧ୍ରପ୍ରଦେଶ, ବିହାର ସହ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଁ ଓଡିଶା ବି ଦାବି କରୁଥିଲା। ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସାମନା କରୁଥିବା ଓଡିଶାର ବିକାଶ ପାଇଁ ସ୍ବତନ୍ତ୍ର ଅନୁଦାନ ମାଗୁଥିଲା। ହେଲେ ଆନ୍ଧ୍ରପ୍ରଦେଶ ଓ ବିହାରକୁ କେନ୍ଦ୍ର ବଜେଟରେ ସ୍ବତନ୍ତ୍ର ଅନୁଦାନ ମଂଜୁର କରାଯାଇଥିବା ବେଳେ ଓଡିଶା ନିରାଶ ହୋଇଛି । ଚଳିତ ଥର ରାଜ୍ୟର ମୋଟ୍ ୨୧ଟି ଲୋକସଭା ଆସନ ମଧ୍ୟରୁ ବିଜେପିକୁ ୨୦ଟି ସିଟ୍ ଦେଇଥିବାରୁ ଓଡିଶାକୁ ଏଭଳି ଦଣ୍ଡ ମିଳିଛି । ଯେବେକି ବିହାର ଓ ଆନ୍ଧ୍ରପ୍ରଦେଶର ମେଣ୍ଟ ସହଯୋଗୀଙ୍କୁ ପୁରସ୍କାର ମିଳିଥିବା ବିଜେଡି ସାଂସଦ ସସ୍ମିତ ପାତ୍ର ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।
ବଜେଟରୁ ଓଡିଶାକୁ ନିରାଶା !
ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ରହିଥିବା ବେଳେ ଏଥର ବଜେଟରେ ଅଧିକ ଅନୁଦାନ ଆଶା କରୁଥିଲା ଓଡିଶା । ତେବେ କେନ୍ଦ୍ର ସରକାର ରାଜ୍ୟବାସୀଙ୍କ ପ୍ରତି ଅନ୍ୟାୟ କରିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି । ରାଜ୍ୟର ବିକାଶ ତଥା ଦାରିଦ୍ର୍ୟ ଦୂରୀକରଣ ପାଇଁ କୌଣସି ସ୍ବତନ୍ତ୍ର ପ୍ରସ୍ତାବ ଉପରେ ମୋହର ଲଗାଯାଇନାହିଁ। ବିଜେପିର ଡବଲ୍ ଇଞ୍ଜିନ ସରକାର ରାଜ୍ୟବାସୀଙ୍କୁ ପ୍ରତାରଣା କରିଥିବା ଶ୍ରୀକାନ୍ତ ଜେନା କହିଛନ୍ତି ।
ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ପାଇଁ କେନ୍ଦ୍ର ବଜେଟରେ ଅନୁଦାନ ଘୋଷଣା ହୋଇଥିବା ବେଳେ ଏହାକୁ ସ୍ବାଗତ କରିଛି ବିଜେପି। ତେବେ ବିହାର, ଆନ୍ଧ୍ରପ୍ରଦେଶ ଭଳି ଓଡିଶା ପାଇଁ ସ୍ବତନ୍ତ୍ର ଅନୁଦାନ ଦିଆଯାଇନଥିବାରୁ ସମାଲୋଚନା କରିଛନ୍ତି ବିରୋଧୀ। ଚଳିତ ଥର ୨୦ଜଣ ସାଂସଦ ବିଜେପିରୁ ଜିତିଥିବା ବେଳେ ଅଧିକ ଅନୁଦାନ ଆଶା କରୁଥିଲା ଓଡିଶା । ତେବେ ନିରାଶ ହୋଇଛି ରାଜ୍ୟ । ପୋଲାଭରମ୍ ଝଟକା ବିରୋଧରେ ବି ବର୍ଷିଛନ୍ତି ବିଜେଡି ଓ କଂଗ୍ରେସ ।