ଭୁବନେଶ୍ୱର: ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପୁନଃ ନିଯୁକ୍ତି ପାଇଁ ଜାରି ହେଲା ଗାଇଡଲାଇନ୍ । କର୍ମଚାରୀଙ୍କୁ କେଉଁ ମାନଦଣ୍ଡରେ ଚୟନ ହେବ ସେନେଇ ବିସ୍ତୃତ ଗାଇଡଲାଇନ ଜାରି କଲା ବିଭାଗ । ପୁନଃ ନିଯୁକ୍ତି ପାଇଁ କର୍ମଚାରୀଙ୍କୁ ଚୟନ କରିବ କମିଟି । କମିଟିରେ ମୁଖ୍ୟ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜିଏ ସଚିବ, ଅର୍ଥ ସଚିବ, ସଂପୃକ୍ତ ବିଭାଗର ସଚିବ ଆଦି ସଦସ୍ୟ ରହିବେ । ୬୫ ବର୍ଷରୁ କମ୍ ଓ ଭଲ ସର୍ଭିସ ରେକର୍ଡ଼ ଥିବା ବ୍ୟକ୍ତିଙ୍କୁ କରାଯିବ ପୁନଃ ନିଯୁକ୍ତି । ସେହିପରି ପୁନଃ ନିଯୁକ୍ତି ପାଇବାକୁ ଥିବା ବ୍ୟକ୍ତି ଶାରୀରିକ ଭାବେ ଫିଟ୍ ଥିବା ନିହାତି ଜରୁରୀ ।
ସେହିପରି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଥିଲେ ବିଚାରଯୋଗ୍ୟ ହେବନି ପୁନଃ ନିଯୁକ୍ତି । ଅବସରପୂର୍ବରୁ ସିସିଆର୍ ଆଉଟଷ୍ଟାଣ୍ଡିଂ ଥିଲେ ପୁନଃ ନିଯୁକ୍ତି କରାଯିବ । ପଦବୀରେ ପୁନଃ ନିଯୁକ୍ତି ପାଇଁ ଖୋଲା ବିଜ୍ଞାପନ ଜରିଆରେ ସୂଚିତ କରାଯିବ ବୋଲି କହିଛି ବିଭାଗ l ପ୍ରାରମ୍ଭରେ ପୁନଃନିଯୁକ୍ତିର ଅବଧି ଏକ ବର୍ଷ ପାଇଁ ରହିବ ଏବଂ ସେହି ସମୟରେ ଯଦି ସେମାନେ ସନ୍ତୋଷଜନକ ଭାବେ କାର୍ଯ୍ୟ କରିଥିବେ ତେବେ ପରବର୍ତ୍ତୀ ସମୟରେ ସେମାନଙ୍କ କାର୍ଯ୍ୟକାଳ ତିନି ବର୍ଷ ବୃଦ୍ଧି କରାଯିବ । ତେବେ ୨୦୧୪ର ସାମୟିକ ପୁନଃନିଯୁକ୍ତି ବିଜ୍ଞପ୍ତିକୁ ଖାରଜ କରିଛନ୍ତି ସରକାର। ପ୍ରଥମେ ଖାଲି ପଦ ଭର୍ତ୍ତି ପାଇଁ ପଦୋନ୍ନତି ଉପରେ ଗୁରୁତ୍ୱ ଦିଆଯିବ । ଅତି ଆବଶ୍ୟକ ହେଲେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ୬୫ ବର୍ଷ ପର୍ଯ୍ୟନ୍ତ ପୁନଃନିଯୁକ୍ତି କରାଯିବ ।