ପରଲୋକରେ ବିଶିଷ୍ଠ ଶିକ୍ଷାବିତ୍ ତଥା ଗଣିତଜ୍ଞ ଡ. ରାମ ଶଙ୍କର ରଥ

ଭୁବନେଶ୍ୱର: ବିଶିଷ୍ଠ ଶିକ୍ଷାବିତ୍ ତଥା ଗଣିତଜ୍ଞ ରାମ ଶଙ୍କର ରଥଙ୍କର ପରଲୋକ ଘଟିଛି । ସେ ଦୀର୍ଘ ଦିନ ଧରି ନିମୋନିଆ ଓ ଅନ୍ୟାନ୍ୟ ରୋଗରେ ପୀଡିତ ରହି ଚିକିତ୍ସାଧୀନ ଥିଲେ । ଆଜି ଭୁବନେଶ୍ବର ଆଚାର୍ଯ୍ୟବିହାର ସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା ।

ସତ୍ୟ ନଗର ଶ୍ମଶାନରେ ରାମ ଶଙ୍କର ରଥଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ରହିଛି ।

ଶୀକ୍ଷଣୀୟ ଉତ୍କୃଷ୍ଟତା ପାଇଁ ସେ ବେଶ ଜଣାଶୁଣା । ଡ. ରଥ ଡିବ୍ରୁଗଡରେ ଅଧ୍ୟାପକ ଭାବରେ ତାଙ୍କର ସେବା ଜୀବନ ଆରମ୍ଭ କରିଥିଲେ । ଏହା ପରେ ପାରଳାଖେମୁଣ୍ଡି ଏବଂ ପରେ ସମ୍ବଲପୁରର ଗଙ୍ଗାଧର ମେହେର କଲେଜରେ ଅଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ ।

ସେ ୧୯୬୯ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଗଣିତ ପିଜି ବିଭାଗରେ ଯୋଗଦାନ କରିଥିଲେ । ପରେ ସେ ୧୯୭୫ରେ ପତ୍ର ବିନିମୟ ପାଠ୍ୟକ୍ରମର ପ୍ରତିଷ୍ଠାତା ନିର୍ଦ୍ଦେଶକ ହୋଇଥିଲେ ଏବଂ ୧୯୯୩ ରେ ଅବସର ନେବା ପର୍ଯ୍ୟନ୍ତ ଏହା ଜାରି ରଖିଥିଲେ ।

ଖଲ୍ଲୀକୋଟରୁ ବିଦ୍ୟାଳୟ ଶିକ୍ଷା ସମାପ୍ତ କରିବା ପରେ, ସେ ଏମକେସିଜି କଲେଜ ପାରାଲାଖେମୁଣ୍ଡିରୁ ମଧ୍ୟବର୍ତ୍ତୀ ବିଜ୍ଞାନ ଅଧ୍ୟୟନ କରିଥିଲେ ଏବଂ ରେଭେନ୍ସା ଠାରୁ ଫିଜିକ୍ସ ଅନର୍ସରେ ସ୍ନାତକ ହାସଲ କରିଥିଲେ ଏହା ସହ ରେଭେନ୍ସା କଲେଜରେ ମଧ୍ୟ ସେ ଗଣିତରେ ପିଜି କରିଥିଲେ ।

ଡ. ରଥ ୧୯୬୮ ମସିହାରେ ଦିଲ୍ଲୀର ଆଇଆଇଟିରୁ ଗଣିତ (ଫ୍ଲୁଇଡ୍ ଡାଇନାମିକ୍ସ) ରେ ପିଏଚଡି ହାସଲ କରିଥିଲେ । ସେ ଗଣିତ, ବିଜ୍ଞାନ, ସାହିତ୍ୟ, ଆଧ୍ୟାତ୍ମିକ ଜ୍ଞାନ ଏବଂ ସାମାଜିକ ବିଜ୍ଞାନର ବିଭିନ୍ନ ବିଷୟ ଉପରେ ଅନେକ ପୁସ୍ତକ ଲେଖିଛନ୍ତି ।

Leave A Reply

Your email address will not be published.