ପ୍ରଧାନମନ୍ତ୍ରୀଙ୍କ ଜୀବନ ଯାତ୍ରା ବିଶ୍ୱର ଛାତ୍ରଛାତ୍ରୀଙ୍କ ପାଇଁ ଅଧ୍ୟୟନର ବିଷୟ ହେବ – ଅମିତ ଶାହ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମସ୍ଥାନ ବଡନଗରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉଦଘାଟିତ

ପ୍ରଧାନମନ୍ତ୍ରୀ ପାଠ ପଢିଥିବା ‘ପ୍ରେରଣା ସ୍କୁଲ’ ଶିକ୍ଷା ଓ ମୂଲ୍ୟବୋଧର ଅନନ୍ୟ କେନ୍ଦ୍ର – ଧର୍ମେନ୍ଦ୍ର ପ୍ରଧାନ

• ବଡନଗର ଠାରେ ଅତ୍ୟାଧୁନିକ ପ୍ରତ୍ନତାତ୍ତ୍ୱିକ ଅନୁଭୂତି ସଂଗ୍ରହାଳୟ, ପ୍ରେରଣା କମ୍ପ୍ଲେକ୍ସ ଏବଂ ଓ୍ୱାଡନଗର କ୍ରୀଡ଼ା କମ୍ପ୍ଲେକ୍ସକୁ ଉଦଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ
• ହଜାର ହଜାର ବର୍ଷ ପୁରୁଣା ସଭ୍ୟତାର କେନ୍ଦ୍ରସ୍ଥଳ ବଡନଗରର ତପୋଭୂମି ଆଜି ନୂଆ ରୂପ ନେଉଛି
• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ସହିତ ଗ୍ଲୋବାଲ ସାଉଥର ସ୍ୱର ହୋଇଛନ୍ତି, ଏହା ହେଉଛି ବଡନଗରର ସଂସ୍କାର
• ଅଭିଜ୍ଞତା ଭିତ୍ତିକ, ଅଭିନବ ଓ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କୁ ବିଶ୍ୱ ମଞ୍ଚରେ ଉତ୍କୃଷ୍ଟ ହେବା ପାଇଁ ପ୍ରସ୍ତୁତ କରୁଛି

ନୂଆଦିଲ୍ଲୀ/ଭୁବନେଶ୍ୱର, ଜାନୁଆରୀ ୧୬ – ଗୁଜୁରାଟର ବଡନଗରରେ ଜନ୍ମ ଗ୍ରହଣ କରିଥିବା ଜଣେ ସାଧାରଣ ପିଲାରୁ ବିଶ୍ୱ ନେତା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନ ଯାତ୍ରା ଆଗାମୀ ଦିନରେ ଦେଶ ଦୁନିଆର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଅଧ୍ୟୟନର ବିଷୟ ହେବ । ଗୁରୁବାର ଗୁଜରାଟର ବଡନଗର ଠାରେ ଏକ ଅତ୍ୟାଧୁନିକ ପ୍ରତ୍ନତତ୍ତ୍ୱିକ ଅନୁଭୂତି ସଂଗ୍ରହାଳୟ, ପ୍ରେରଣା କମ୍ପ୍ଲେକ୍ସ ଏବଂ ଓ୍ୱାଡନଗର କ୍ରୀଡ଼ା କମ୍ପ୍ଲେକ୍ସକୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ।


କେନ୍ଦ୍ର ଗୃହ ମନ୍ତ୍ରୀ କହିଛନ୍ତି ଯେ ଆଜି ସମଗ୍ର ବିଶ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଦାନୁସରଣ କରୁଛି । ଆଜିର କାର୍ଯ୍ୟକ୍ରମ ମୋଦୀଙ୍କ ଜନ୍ମସ୍ଥାନରେ ଅନୁଷ୍ଠିତ ହେଉଛି । ଏହି କାର୍ଯ୍ୟକ୍ରମ ବଡନଗରକୁ ବିଭିନ୍ନ ଦୃଷ୍ଟିକୋଣରୁ ଦେଶ ଓ ବିଶ୍ୱର ମାନଚିତ୍ରରେ ସ୍ଥାନିତ କରିବାକୁ ଯାଉଛି। ବଡନଗର ହେଉଛି ବିଶ୍ୱର ଅନ୍ୟତମ ପୁରାତନ ସହର । ଏହା ପ୍ରତ୍ୟେକ ଯୁଗର ସଂସ୍କୃତି ଏବଂ ମୂଲ୍ୟବୋଧକୁ ପ୍ରଭାବିତ କରିଛି ।

ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ହଜାର ହଜାର ବର୍ଷ ପୁରୁଣା ସଭ୍ୟତାର କେନ୍ଦ୍ରସ୍ଥଳ ବଡନଗରର ତପୋଭୂମି ଆଜି ନୂଆ ରୂପ ନେଉଛି । ଐତିହାସିକ ଐତିହ୍ୟର ଏହି ଭୂମିକୁ ଏକବିଂଶ ଶତାବ୍ଦୀରେ ଭାରତର ନେତୃତ୍ୱ ନେବାର ସୌଭାଗ୍ୟ ପ୍ରାପ୍ତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତ ସହିତ ଗ୍ଲୋବାଲ ସାଉଥର ସ୍ୱର ହୋଇଛନ୍ତି । ଏହା ହେଉଛି ବଡନଗରର ସଂସ୍କାର । ଏହି ଅଞ୍ଚଳର ବିଚାର, ଯାହାର ଛତ୍ରଛାୟାରେ ସମଗ୍ର ବିଶ୍ୱର ଲୋକମାନେ ଲାଭ ପାଉଛନ୍ତି । ଯେଉଁ ସ୍କୁଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ, ସେହି ଠାରେ ଲୋକାର୍ପିତ ‘ପ୍ରେରଣା କମ୍ପଲେକ୍ସ’ ଜାତୀୟ ଶିକ୍ଷା ନୀତି ଅନୁଯାୟୀ ପାଠ୍ୟକ୍ରମ ମାଧ୍ୟମରେ ଆମ ପିଲାମାନଙ୍କ ମଧ୍ୟରେ ନେତୃତ୍ୱର ଗୁଣାତ୍ମକ ଏବଂ ମୂଲ୍ୟବୋଧ ବିକାଶ କରିବାର ଏକ ଜରିଆ ହେବ । ଏହି ଆଧୁନିକ ସଂଗ୍ରହାଳୟରେ ବଡନଗର ପ୍ରାଚୀନ ସଂସ୍କୃତି ଏବଂ ଇତିହାସର ଛାପ ରହିଛି । ଏହା ବିଶ୍ୱର ଏକମାତ୍ର ଅତ୍ୟାଧୁନିକ ସଂଗ୍ରହାଳୟ । ବଡନଗର ଆମର ସମୃଦ୍ଧ ଐତିହ୍ୟ । ଆଗାମୀ ଦିନରେ ଏହି ଭୂମି ଆମର ଯୁବପିଢ଼ିଙ୍କୁ ଗର୍ବିତ କରିବା ସହିତ ଏକ ବିକଶିତ ଭାରତ ନିର୍ମାଣ ପାଇଁ ପ୍ରେରଣା ଯୋଗାଇବ ।

ଆଜି ପ୍ରେରଣା ବିଦ୍ୟାଳୟର ୪୨ତମ ବ୍ୟାଚର ଛାତ୍ରଛାତ୍ରୀଙ୍କ ସହ ମଧ୍ୟ କେନ୍ଦ୍ରମନ୍ତ୍ରୀ ଶାହ ଆଲୋଚନା କରିଥିଲେ । ଏ ସମ୍ପର୍କରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ଯେ ଏହି ଆଲୋଚନା କେବଳ ଛାତ୍ରଛାତ୍ରୀଙ୍କ ପାଇଁ ଜ୍ଞାନଦାୟକ ନଥିଲା, ବରଂ ତାଙ୍କ ଭିତରେ ନୂତନ ଶକ୍ତି ଏବଂ ଚିନ୍ତାଧାରା ମଧ୍ୟ ସୃଷ୍ଟି କରିଥିଲା । ଏହି ପ୍ରେରଣାଦାୟୀ ଆଲୋଚନା ସେମାନଙ୍କ ବ୍ୟକ୍ତିତ୍ୱ ଏବଂ ଦୃଷ୍ଟିକୋଣକୁ ବ୍ୟାପକ କରିବାରେ ସାହାଯ୍ୟ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିବା ପ୍ରେରଣା ବିଦ୍ୟାଳୟ ଆଜି ଶିକ୍ଷା ଓ ମୂଲ୍ୟବୋଧର ଏକ ଅନନ୍ୟ କେନ୍ଦ୍ରରେ ପରିଣତ ହୋଇଛି । ଅଭିଜ୍ଞତା ଭିତ୍ତିକ, ଅଭିନବ ଓ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କୁ ବିଶ୍ୱ ମଞ୍ଚରେ ଉତ୍କୃଷ୍ଟ ହେବା ପାଇଁ ପ୍ରସ୍ତୁତ କରୁଛି। ନୂତନ ପିଢ଼ିଙ୍କୁ ଅନୁଭୂତିମୂଳକ ଓ ସାମଗ୍ରିକ ଶିକ୍ଷା ପ୍ରଦାନ କରି ଭବିଷ୍ୟତର ଦକ୍ଷ ନେତାଙ୍କୁ ଗଢ଼ିତୋଳିବା ପାଇଁ ଏହି ବିଦ୍ୟାଳୟ କାର୍ଯ୍ୟ କରୁଛି। ମାନ୍ୟବର ଗୃହମନ୍ତ୍ରୀଙ୍କ ସହ ଏହି ବାର୍ତ୍ତାଳାପ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ଦେଶପ୍ରେମ ଏବଂ ସମାଜ ପ୍ରତି ଦାୟିତ୍ୱବୋଧକୁ ସୁଦୃଢ଼ କରି ‘ବିକଶିତ ଭାରତ’ ଗଠନ ପାଇଁ ପ୍ରେରଣା ଯୋଗାଇବ ।

ଏହି ସମାରୋହରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.