ଅସ୍ତିତ୍ୱ ବଞ୍ଚାଇବାକୁ ଓଡିଶାରେ ଡ୍ରାମାବାଜୀ କରୁଛି କଂଗ୍ରେସ: ବିଜେପି

ଭୁବନେଶ୍ୱର :  ଆନ୍ତର୍ଜାତିକ ମହିଳା ଦିବସ ଅର୍ଥାତ ଶନିବାର କର୍ଣ୍ଣାଟକରୁ ଆସିଥିଲା ଦୁଃଖଦ ଖବର। ପର୍ଯ୍ୟଟନ ପାଇଁ କର୍ଣ୍ଣାଟକ ଆସିଥିବା ଦୁଇ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିଲା। ଏହି ଘଟଣାକୁ ଦୃଢ ନିନ୍ଦା କରିଛି ଓଡ଼ିଶା ବିଜେପି। କଂଗ୍ରେସ ଦଳର ଦୋମୁହାଁ ନୀତିର ଅସଲ ଚେହେରା ପଦାରେ ପଡିଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ। ସେ କହିଛନ୍ତି, ଯେତେବେଳେ ସାରା ଦେଶ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରୁଥିଲା, ସେତେବେଳେ କଂଗ୍ରେଶ ଶାସିତ କର୍ଣ୍ଣାଟକ ପ୍ରଦେଶରୁ ଆସିଥିବା ଏକ ଦୁଖଦଃ ସମ୍ବାଦ ସମସ୍ତଙ୍କୁ ବ୍ୟଥିତ କରିଥିଲା ।

ପର୍ଯ୍ୟଟନ ପାଇଁ କର୍ଣ୍ଣାଟକ ଯାଇଥିବା ୨ ଜଣ ମହିଳାଙ୍କୁ ଦୁଷ୍କର୍ମ କରାଯାଇ ଅତ୍ୟନ୍ତ ନୃଶଂସ ଭାବେ ହତ୍ୟା କରାଯାଇଛି। ଏହି ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ଲଜ୍ଜାଜନକ । ଏହି ଘଟଣାରେ ଓଡିଶାର କନ୍ଧମାଳ ଜିଲ୍ଲାର ଜଣେ ଯୁବକକୁ ମଧ୍ୟ କେନାଲକୁ ଠେଲି ହତ୍ୟା କରାଯାଇଛି । ଏହି ଅମାନବୀୟ ଘଟଣାରେ ୩ ଜଣ ସାମିଲ ଥିବାବେଳେ ବର୍ତ୍ତମାନ ସୁଦ୍ଧା ଅପରାଧୀଙ୍କୁ ଗିରଫ କରିବାରେ କର୍ଣ୍ଣାଟକ ସରକାର ବିଫଳ ହୋଇଛି ।

ସେ ଆହୁରି କହିଛନ୍ତି, ଓଡିଶାରେ ମହିଳା ସୁରକ୍ଷାକୁ ପ୍ରସଙ୍ଗ କରି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରୁଥିବା କଂଗ୍ରେସ ଦଳ କର୍ଣ୍ଣାଟକ ପ୍ରସଙ୍ଗରେ ସମବେଦନା ଜଣାଇ ଦୁଃଖ ପ୍ରକାଶ କରିବା ତ ବହୁ ଦୂର କଥା, ସାମାନ୍ୟତମ ନିନ୍ଦା ମଧ୍ୟ କରିନାହାନ୍ତି । ଏ ପ୍ରସଙ୍ଗରେ ଓଡିଶାର ଜଣେ ହେଲେ କଂଗ୍ରେସ ନେତା ପାଟି ଖୋଲିନାହାନ୍ତି। କଂଗ୍ରେସ ଦଳର ଏଭଳି ଦୋମୁହାଁ ନୀତି ସେମାନଙ୍କ ଅସଲ ମୁଖା ଖୋଲିଦେଇଛି । କଂଗ୍ରେସ ନିଜ ଅସ୍ତିତ୍ୱ ବଂଚାଇ ରଖିବା ପାଇଁ ଓଡିଶାରେ କଂଗ୍ରେସ ନେତାମାନେ ପ୍ରୟାସ ଜାରୀ ରଖି ପ୍ରତିଦିନ ଡ୍ରାମାବାଜୀ କରୁଛନ୍ତି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।

Leave A Reply

Your email address will not be published.