ଚେନ୍ନାଇ: ଓସ୍କାର ବିଜେତା ସଙ୍ଗୀତଜ୍ଞ ତଥା କଣ୍ଠଶିଳ୍ପୀ ଏଆର ରେହମାନଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ଭଲ ରହିଛି। ସେ ମେଡିକାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଥିବା ନେଇ ସୂଚନା ଦେଇଛନ୍ତି ତାଙ୍କ ପୁଅ। ଆଜି ସକାଳେ ତାଙ୍କର ଛାତି ଯନ୍ତ୍ର ହେବାରୁ, ତାଙ୍କୁ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା। ତେବେ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।
ଏହାରି ଭିତରେ ସଂଗୀତକାର ଏ.ଆର୍. ରେହମାନଙ୍କ ଠାରୁ ଅଲଗା ହୋଇଥିବା ତାଙ୍କ ପତ୍ନୀ ସାଇରା ବାନୁ ଏବେ ତାଙ୍କ ବିବାହ ବିଚ୍ଛେଦ ନେଇ ବଡ଼ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ସେମାନେ ଅଲଗା ରହୁଛନ୍ତି ସତ, କିନ୍ତୁ ସେମାନେ ଆନୁଷ୍ଠାନିକ ଭାବରେ ଛାଡପତ୍ର ନେଇନାହାନ୍ତି। ଏଥିସହିତ ମିଡିଆକୁ ସେ ତାଙ୍କର ପୂର୍ବତନ ପତ୍ନୀ ବୋଲି ସମ୍ବୋଧନ କରିବାକୁ ବାରଣ କରିଛନ୍ତି।
ତେବେ ୧୯୯୫ ମସିହାରେ ବିବାହ କରିଥିବା ଏହି ଦମ୍ପତି ନଭେମ୍ବର ୨୦୨୪ ରେ ସେମାନଙ୍କର ବିଚ୍ଛେଦ ଘୋଷଣା କରିଥିଲେ। ତଥାପି, ସାଇରା ଏବେ ଦାବି କରିଚନ୍ତି, ସେମାନେ ପରସ୍ପର ଠାରୁ ଦୂରରେ ରହୁଥିଲେ ସତ୍ତ୍ୱେ ସେମାନେ ଏବେବି ସ୍ୱାମୀ-ସ୍ତ୍ରୀ ଅଛନ୍ତି।