ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍, ଆଇପିଏଲ ୨୦୨୫ ମହାସମର । ଏଥିରେ ଏବେବି ଚର୍ଚ୍ଚିତ ମୁହଁ ରହିଛନ୍ତି ଭାରତୀୟ କ୍ରିକେଟର ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ୨୦୨୦ରୁ ଅନ୍ତର୍ଜାତୀୟ କ୍ରିକେଟରୁ ଧୋନି ଅବସର ନେଇଥିଲେ ମଧ୍ୟ ବ୍ୟୟବହୁଳ କ୍ରିକେଟ ଲିଗ୍ ଆଇପିଏଲରେ ଏବେବି ଖେଳିବା ଜାରି ରଖିଛନ୍ତି । ଯାହାକୁ ନେଇ ଏବେ ବେଶ୍ ଉତ୍ସାହିତ ଅଛନ୍ତି ଫ୍ୟାନ୍ସ । ପୁଣି କ୍ରିକେଟ ଗ୍ରାଉଣ୍ଡକୁ ଓହ୍ଲାଇ ନିଜର ଚୌକା ଛକାର ଯାଦୁ ଦେଖାଇବେ ମାହି ।
କିନ୍ତୁ ଏହାରି ଭିତରେ ଫ୍ୟାନ୍ସଙ୍କୁ ବଡ ଶକ୍ତ ଆଘାତ ଦେଇଛି, ଚେନ୍ନାଇର ସୁପର କିଙ୍ଗ୍ସର ପୂର୍ବତନ ବ୍ୟାଟ୍ସମ୍ୟାନ୍ ରବିନ୍ ଉଥାପ୍ପା । ସେ ଆଇପିଏଲରୁ ଧୋନିଙ୍କ ଅବସର ନେଇ ସେ ଇଶାରା ଦେଇଛନ୍ତି । ଯାହାକୁ ନେଇ ଚର୍ଚ୍ଚା ସୂଚନା ଦେଇଛନ୍ତି । ସେ କହିଛନ୍ତି, ପୂର୍ବତନ ସିଏସକେ ଅଧିନାୟକ ଖେଳ ପାଇଁ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ । ଏବେ ବି ଖେଳ ପ୍ରତି ତାଙ୍କର ଭଲ ପାଇବା ଟିକେ ବି କମିନି । ଏହି ବୟସରେ ମଧ୍ୟ ସେ ଓ୍ବିକେଟ ପଛରେ ସବୁଠୁ ଚତୁର ଖେଳାଳି ଭାବେ ଛିଡା ହୋଇଛନ୍ତି । ଯଦି ସେ ଅବସର ନ ନିଅନ୍ତି ତେବେ ସେ ଏଥିରେ ଆଶ୍ଚର୍ଯ୍ୟ ହେବେ ନାହିଁ । ଧୋନିଙ୍କ ଦକ୍ଷତା ଏବଂ ଉତ୍ସାହ ଦେଖି, ସେ କହିଛନ୍ତି, ତାଙ୍କୁ ଏବେ ଅବସର ନେବାର କୌଣସି କାରଣ ନାହିଁ । ଯଦି ଖେଳ ଶେଷରେ ଏବେ ଅବସର ନେଉଛନ୍ତି, ତାହେଲେ ସେଥିରେ କିଛି ଆଶ୍ଚର୍ଯ୍ୟ ନାହିଁ, ଆଉ ଯଦି ବି ଆଗକୁ ସେ ଆହୁରି ୪ଟା ମ୍ୟାଚ ଖେଳିବେ ସେଥିରେ ବି କିଛି ଆଶ୍ଚର୍ଯ୍ୟକର ନୁହେଁ ବୋଲି କହିଛନ୍ତି ଉତ୍ଥପା ।
ତେବେ କହିରଖୁଛୁ, ଧୋନି ପୁଣି ଥରେ ଆଇପିଏଲ୍ ୨୦୨୫ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସ (CSK) ପାଇଁ ନିଜର ଷଷ୍ଠ ଟାଇଟଲ ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବେ । ରୁତୁରାଜ ଗାଇକୱାଡଙ୍କ ନେତୃତ୍ୱରେ ସିଏସକେ ପାଞ୍ଚଥର ଚାମ୍ପିଅନ୍ ତଥା ପ୍ରତିଦ୍ୱନ୍ଦ୍ୱୀ ମୁମ୍ବାଇ ଇଣ୍ଡିଆନ୍ସ (MI) ବିପକ୍ଷରେ ସେମାନଙ୍କର ସମର ଆରମ୍ଭ କରିବେ । ଏହା ଧୋନିଙ୍କ ଅନ୍ତିମ ଆଇପିଏଲ୍ ହେବ କି ନାହିଁ ତାହା ଅନିଶ୍ଚିତତା ମଧ୍ୟରେ ରହିଥିବା ବେଳେ ୨୦୨୦ରେ ଅନ୍ତର୍ଜାତୀୟ ଅବସର ପରେ ସେ କେବେ ଲିଗ୍ ବିଦାୟ ନେବେ ସେ ନେଇ କଳ୍ପନାଜଳ୍ପନା ଜାରି ରହିଛି । ହେଲେ ଏନେଇ କୌଣସି ସ୍ପଷ୍ଟତା ମିଳିନାହିଁ ।
ସେପଟେ ଧୋନି ଆଗ ବ୍ୟାଟିଂ କରିବେ ବୋଲି ପ୍ରଶଂସକମାନେ ଆଶା କରୁଛନ୍ତି । ଧୋନି ଗତ ସିଜନରେ ସାତ କିମ୍ବା ଆଠ ନମ୍ବରରେ ବ୍ୟାଟିଂ କରୁଥିଲେ । ଧୋନି ଶେଷ ମୁହୂର୍ତ୍ତରେ ବ୍ୟାଟିଂ କରିବାକୁ ଆସୁଥିଲେ ଏବଂ କିଛି ହିଟ୍ ସଟ୍ ଖେଳି ପ୍ରଶଂସକଙ୍କୁ ଭରପୁର ମନୋରଞ୍ଜନ ଦେଇଯାଉଥିଲେ । ଆଇପିଏଲ୍ ୨୦୨୪ ରେ ଧୋନି ୨୨୦ ରୁ ଅଧିକ ଷ୍ଟ୍ରାଇକ୍ ହାରରେ ହାରାହାରି ୫୩.୬୭ ରନ୍ କରିଥିଲେ ।
ତେବେ ଆଜିଠୁ ଆଇପିଏଲର ୧୮ ତମ ସିଜନରେ କୋଲକାତା ଇଡେନ୍ ଗାର୍ଡେନ୍ସର ମୈଦାନରେ ଏହି ଟୁର୍ଣ୍ଣାମେଣ୍ଟ ଶୁଭାରମ୍ଭ ହେବାକୁ ଯାଉଥିବା ବେଳେ ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ କୋଲକାତା ନାଇଟ୍ ରାଇଡର୍ସ (KKR) ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ (RCB) ।