ନୂଆଦିଲ୍ଲୀ: ମିଆଁମାର ଭୂମିକମ୍ପରେ ଏଯାବତ୍ ୧୦୦୨ ଜଣଙ୍କ ମୃତଦେହ ଉଦ୍ଧାର କରାଗଲାଣି । ସେହିପରି ଭୂମିକମ୍ପରେ ୨୩୭୬ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଭଳି ପରିସ୍ଥିତିରେ ଭାରତ ପଡୋଶୀ ଦେଶକୁ ସାହାଯ୍ୟ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି। ଭାରତର ୧୫ଟନ୍ ରିଲିଫ୍ ସାମଗ୍ରୀ ୟାଙ୍ଗୋନରେ ପହଞ୍ଚିଛି । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ଅପରେସନ୍ ବ୍ରହ୍ମା ଆରମ୍ଭ ହୋଇଯାଇଛି ।
ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, IAF_MCC-130 କମ୍ବଳ, ତାରପଲିନ୍, ସ୍ୱଚ୍ଛତା କିଟ୍,ସ୍ଲିପିଙ୍ଗ ବ୍ୟାଗ, ସୋଲାର ଲ୍ୟାମ୍ପ, ଖାଦ୍ୟ ପ୍ୟାକେଟ୍ ଏବଂ ରୋଷେଇ ସେଟ୍ ପଠାଯାଇଛି। ଏହା ମାଧ୍ୟମରେ ଚିକିତ୍ସା ସୁବିଧା ମଧ୍ୟ ପଠାଯାଇଛି।
ମିଆଁମାରରେ ହୋଇଥିବା ଭୂକମ୍ପରେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏନଡିଆରଏଫର ଅଷ୍ଟମ ବାଟାଲିୟନ ଏବଂ ଭାରତୀୟ ବାୟୁସେନା ପହଞ୍ଚିଯାଇଛନ୍ତି ।
ମିଆଁମାରକୁ ୧୫ଟନ୍ ରିଲିଫ୍ ସାମଗ୍ରୀ ହିନ୍ଦନ୍ ଏୟାରବେସରୁ ଭାରତୀୟ ବାୟୁସେନା ବିମାନ ମାଧ୍ୟମରେ ପଠାଯାଇଥିଲା। ରିଲିଫ୍ ସାମଗ୍ରୀରେ ଖାଦ୍ୟ ସାମଗ୍ରୀ, ଚିକିତ୍ସା ସହାୟତା,ଲୋକମାନେ ରହିବା ପାଇଁ ସାମଗ୍ରୀ ଏବଂ ସେଠାରେ ଥିବା ଲୋକଙ୍କ ପାଇଁ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଅନ୍ତର୍ଭୁକ୍ତ ରହିଛି ।
ଏହାଦ୍ହାରା ମିଆଁମାରରେ ହୋଇଥିବା ଭୂକମ୍ପରେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରାଯିବ। ଭାରତର ଏହି ମିଶନ ସଙ୍କଟ ସମୟରେ ପଡୋଶୀ ଦେଶକୁ ଠିକ୍ ସମୟରେ ସହାୟତା ଯୋଗାଇବାରେ ଭାରତର ସକ୍ରିୟ ଭୂମିକା ଦର୍ଶାଇଛି ।
ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣନ୍ଧୀର ଜୈସୱାଲ କହିଛନ୍ତି ଯେ, ମିଆଁମାରକୁ ରିଲିଫ ସାମଗ୍ରୀ ହସ୍ତାନ୍ତର କରାଯାଇଛି। ଆଜି ୟାଙ୍ଗୋନରେ ରାଷ୍ଟ୍ରଦୂତ ଅଭୟ ଠାକୁରଙ୍କ ଦ୍ବାରା ରିଲିଫ୍ ସାମଗ୍ରୀର ପ୍ରଥମ ସାମଗ୍ରୀ ଆନୁଷ୍ଠାନିକ ଭାବେ ୟାଙ୍ଗନ୍ ମୁଖ୍ୟମନ୍ତ୍ରୀ ୟୁ ସୋଇ ଥିନଙ୍କୁ ହସ୍ତାନ୍ତର କରାଯାଇଥିଲା।