ଆଜି ସୁପ୍ରିମକୋର୍ଟରେ ରାହୁଲଙ୍କ ମାନହାନି ଦଣ୍ଡାଦେଶ ଉପରେ ଶୁଣାଣି

ନୂଆଦିଲ୍ଲୀ: ମୋଦୀ ଉପନାମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିକଟରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ରାହୁଲ ଗାନ୍ଧୀଙ୍କୁ ମାନହାନି ମାମଲାରେ ହୋଇଥିବା ୨ ବର୍ଷର ଜେଲ୍‌ଦଣ୍ଡ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ବିଚାରପତି ବି.ଆର ଗଭଇ ଏବଂ ପି.କେ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିବେ।

ଯଦି ସୁପ୍ରିମକୋର୍ଟ ତାଙ୍କ ଦଣ୍ଡାଦେଶ ଉପରେ ରୋକ୍ ଲଗାନ୍ତି ତେବେ ରାହୁଲ ଲୋକସଭା ସଦସ୍ୟ ପଦ ଫେରି ପାଇବା ସହ ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନ ଲଢିପାରିବେ। ସୂଚନା ଥାଉକି ମାନହାନି ମାମଲାରେ ସୁରଟ କୋର୍ଟ ରାହୁଲଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି। ଏହା ପରେ ଗୁଜରାଟ ହାଇକୋର୍ଟରେ ମଧ୍ୟ ରାହୁଲଙ୍କୁ ଆସ୍ୱସ୍ତି ମିଳିନଥିଲା। ତଳ କୋର୍ଟଙ୍କ ରାୟକୁ କାଏମ ରଖିଥିଲେ ହାଇକୋର୍ଟ। ମାର୍ଚ୍ଚ ୨୩ ରେ, ନିମ୍ନ ଅଦାଲତ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ପରଦିନ ରାହୁଲ ଲୋକସଭା ସଦସ୍ୟତା ହରାଇଲେ। ରାହୁଲଙ୍କୁ ତାଙ୍କ ସରକାରୀ ବାସଭବନ ମଧ୍ୟ ଖାଲି କରିବାକୁ ପଡିଲା।

ତାପରେ ରାହୁଲ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଛନ୍ତି। ଏହି ମାମଲାର ତତ୍କାଳ ଶୁଣାଣି ପାଇଁ ନିବେଦନ କରାଯାଇଥିବା ବେଳେ ସର୍ବୋଚ୍ଚ କୋର୍ଟ ଏଥିରେ ରାଜି ହୋଇଛନ୍ତି। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଏ ପ୍ରସଙ୍ଗରେ ସର୍ବୋଚ୍ଚ କୋର୍ଟଙ୍କ ଶୁଣାଣି ଓ ରାୟକୁ ସାଧାରଣରେ ଅପେକ୍ଷା କରାଯାଇଛି। ରାହୁଲ ଗାନ୍ଧୀଙ୍କ ବିରୋଧରେ ଦଣ୍ଡାଦେଶକୁ ନେଇ କଂଗ୍ରେସ ସମେତ ଅନ୍ୟାନ୍ୟ ବିରୋଧୀ ବିଜେପିକୁ ଟାର୍ଗେଟ କରୁଛନ୍ତି। ଏପରିକି ଏହା ଏକ ବଡ଼ ରାଜନୈତିକ ପ୍ରସଙ୍ଗ ପାଲଟିଛି।

Leave A Reply

Your email address will not be published.