ନୂଆଦିଲ୍ଲୀ: ବାଂଲାଦେଶରେ ପଟ ପରିବର୍ତ୍ତନ ପରେ ବି ସୁଧୁରିନି ସ୍ଥିତି । ଏବେ ବି ବାଂଲାଦେଶରେ ବିଶୃଙ୍ଖଳା ଜାରି ରହିଛି। ଏହି ସମୟରେ, ଦେଶ ତ୍ୟାଗ କରିଥିବା ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ପୁଣି ବାଂଲାଦେଶ ଫେରିବା ନେଇ ବଡ ସଙ୍କେତ ଦେଇଛନ୍ତି । ସିଧା ସିଧା ବାଂଲାଦେଶ ଅନ୍ତରୀଣ ସରକାର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ଚେତାବନୀ ଦେଇଛନ୍ତି । ହସିନା ଦେଶକୁ ଫେରିଯିବା ନେଇ ତାଙ୍କ ସମର୍ଥକଙ୍କ ଜରିଆାରେ ଏକ ବାର୍ତ୍ତା ଜାରି କରିଛନ୍ତି । ଏନେଇ ସୋସିଆଲ ମିଡିଆରେ ଦଳର ନେତାଙ୍କ ପରିବାର ସଦସ୍ୟଙ୍କ ସହ କଥାବାର୍ତ୍ତା କରୁଥିବା ସମୟରେ ମତ ରଖି ଆଓ୍ବାମି ଲିଗ୍ ଅଧ୍ୟକ୍ଷା ହସିନା ପୁଣି ଥରେ ବାଂଲାଦେଶ ଫେରିବା ନେଇ କହିଥିବା ବେଳେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ଉପରେ ଜୋରଦାର ବର୍ଷିଛନ୍ତି । ୟୁନୁସ ଏପରି ଜଣେ ବ୍ୟକ୍ତି ଯିଏ ସାଧାରଣ ଲୋକଙ୍କୁ କେବେବି ପ୍ରକୃତରେ ଭଲ ପାଇ ନଥିଲେ ।। ସେବେ ଆମେ ତାଙ୍କ ଚାଲ୍ ବୁଝି ପାରିଲୁ ନାହିଁ । ସେ କେବଳ ନିଜ ପାଇଁ ଭଲ କରିଥିଲେ । ଏବେ ତାଙ୍କର କ୍ଷମତାର ଲୋଭ ପାଇଁ ସେ ବାଂଲାଦେଶକୁ କ୍ଷତି ପହଞ୍ଚାଉଛନ୍ତି ବୋଲି କହିଛନ୍ତି ହସିନା ।
ଏଥିସହିତ ହସିନା ବାଂଲାଦେଶ ଏବେ ଆତଙ୍କବାଦର ଦେଶ ପାଲଟିଥିବା ବୋଲି କହିଛନ୍ତି । ବାଂଲାଦେଶ, ଯାହାକୁ ବିକାଶର ମଡେଲ ଭାବରେ ଦେଖାଯାଉଥିଲା, ଏବେ ଏକ ଆତଙ୍କବାଦୀ ଦେଶ ପାଲଟିଛି । ଯେପରି ଆମର ନେତା ଏବଂ କର୍ମୀମାନଙ୍କୁ ହତ୍ୟା କରାଯାଉଛି ତାହା ଶବ୍ଦରେ ବର୍ଣ୍ଣନା କରାଯାଇପାରିବ ନାହିଁ । ଆୱାମୀ ଲିଗ୍ ଲୋକ, ପୋଲିସ, ଓକିଲ, ସାମ୍ବାଦିକ ଏବଂ କଳାକାର ସମସ୍ତଙ୍କୁ ଟାର୍ଗେଟ କରାଯାଉଛି । ଏଥିସହିତ କିପରି ତାଙ୍କ ପରିବାରର ଯନ୍ତ୍ରଣାଦାୟକ ହତ୍ୟା ହୋଇଥିଲା ତାକୁ ମଧ୍ୟ ମନେପକାଇଛନ୍ତି ହସିନା ।
ଦଳୀୟ ସଦସ୍ୟଙ୍କ ପରିବାର ବର୍ଗଙ୍କ ସହ କଥା ହେବା ବେଳେ ସିଧା ସିଧା ସେ ଖୁବ୍ ଶୀଘ୍ର ଦେଶ ଫେରିବା ନେଇ ମଧ୍ୟ ସଙ୍କେତ ଦେଇଛନ୍ତି । କହିଛନ୍ତି, ଆଲ୍ଲା ମୋତେ ରକ୍ଷା କରିଛନ୍ତି । ହୁଏତ ସେ ମୋ ଦ୍ବାରା କିଛି ଭଲ କରାଇବାକୁ ଚାହୁଛନ୍ତି । ଯେଉଁମାନେ ଏହି ଭୟଙ୍କର ଅପରାଧ କରିଛନ୍ତି ସେମାନଙ୍କୁ ଦଣ୍ଡ ମିଳିବ । ଆଓ୍ବାମି ଲିଗର ନେତାଙ୍କ ଉପରେ ଯେଉଁମାନେ ଅତ୍ୟାଚାର କରିଛନ୍ତି, ସେମାନଙ୍କୁ ନ୍ୟାୟର କାଠଗଡାକୁ ଟଣାଯିବ । ଏହା ମୋର ପ୍ରତିଜ୍ଞା । ଏଥିପାଇଁ ମୁଁ ବଞ୍ଚିଛି । ଆଉ ମୁଁ ଆସୁଛି ବୋଲି କହିଛନ୍ତି ହସିନା । ଯାହା ଏବେ ହସିନାଙ୍କ ବାଂଲାଦେଶ ଫେରିବା ଚର୍ଚ୍ଚାକୁ ଆହୁରି ତେଜିଛି ।
ଗତବର୍ଷ ସଂରକ୍ଷଣକୁ ନେଇ ତେଜିଥିବା ଛାତ୍ର ଆନ୍ଦୋଳନ, ବାଂଲାଦେଶରେ ବଡ ପରିବର୍ତ୍ତନ ଆଣିଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ପ୍ରତି ବିରୋଧ ଏତେ ବଢିଥିଲା ଯେ, ଅଗଷ୍ଟ ୫, ୨୦୨୪ରେ ଶେଖ୍ ହସିନାଙ୍କ ସରକାରୀ ବାସଭବନକୁ ଧସେଇ ପଶିଥିଲେ ଆନ୍ଦୋଳନକାରୀ । ଶେଷରେ ବାଧ୍ୟ ହୋଇ ପଦରୁ ଇସ୍ତଫା ଦେଇ ଦେଶ ଛାଡିଥିଲେ ହସିନା । ଆଉ ଭାରତରେ ଶରଣ ନେଇଥିଲେ । ଘଟଣାକୁ ପ୍ରାୟ ୯ମାସ ବିତିଲାଣି, ହେଲେ ଏବେବି ସେଠି ଥମିନି ବିଶୃଙ୍ଖଳା । ଯାହାକୁ ନେଇ ୟୁନୁସ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାକୁ ଦାୟୀ କରି ଭାରତ ସରକାରଙ୍କୁ ହସିନାଙ୍କ ପ୍ରତ୍ୟାବର୍ତ୍ତନ ନେଇ ଅନେକ ଥର ଚିଠି ଲେଖିଛନ୍ତି । ଏହି ନିକଟରେ ବିମଷ୍ଟେକ ଶିଖର ସମ୍ମିଳନୀ ସମୟରେ ଅନୁଷ୍ଠିତ ଏକ ବୈଠକରେ, ମହମ୍ମଦ ୟୁନୁସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଶେଖ ହାସିନାଙ୍କ ପ୍ରତ୍ୟର୍ପଣ ଅନୁରୋଧର ଅଗ୍ରଗତି ବିଷୟରେ ସୂଚନା ମାଗିଥିଲେ। ଏଥିସହିତ ଶେଖ ହସିନା ଗଣମାଧ୍ୟମରେ “ଉତ୍ତେଜକ ବୟାନ” ଦେଇ ଦେଶର ପରିସ୍ଥିତିକୁ ଅସ୍ଥିର କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଥିଲେ । ହେଲେ କିଛି ଲାଭ ହୋଇନଥିଲା । ତେବେ ପୂର୍ବରୁ ବାଂଲାଦେଶରେ ନିର୍ବାଚନ ହେଲେ ଶେଖ୍ ହସିନା ଦେଶକୁ ଫେରିବେ ବୋଲି ମନ୍ତବ୍ୟ ରଖିଥିଲେ ହସିନାଙ୍କ ପୁଅ । ଆଗକୁ ବାଂଲାଦେଶ ନିର୍ବାଚନ ହୋଇପାରେ, ଏହାରି ଭିତରେ ଏବେ ୟୁନୁସ ସରକାରଙ୍କୁ ଅଲଟିମେଟମ ଦେଇଛନ୍ତି ହସିନା ।