ଭୁବନେଶ୍ୱର: ଶେଷରେ ୧୧ ବର୍ଷ ପରେ ବିଜେପି ବାଧ୍ୟ ହୋଇ ଜାତି ଜନଗଣନା କରିବାକୁ ଘୋଷଣା କରିଛି। ସତ୍ୟର ବିଜୟ ହୋଇଛି। ଦୀର୍ଘ ବର୍ଷ ଧରି ରାହୁଲ ଗାନ୍ଧୀ ଜାତି ଜନଗଣନା କରିବାକୁ ଦାବି କରିଆସୁଥିଲେ। ରାହୁଲ ଗାନ୍ଧୀଙ୍କ ଯୁକ୍ତିକୁ ତୁଚ୍ଛ ବୋଲି କହୁଥିଲା ବିଜେପି, କିନ୍ତୁ ଏବେ ସତ୍ୟର ବିଜୟ ହୋଇଛି ବୋଲି କହିଛନ୍ତି କଂଗ୍ରେସ ପିସିସି ସଭାପତି ଭକ୍ତ ଚରଣ ଦାସ।
ବର୍ତ୍ତମାନ କେନ୍ଦ୍ରର ମୋଦି ସରକାର ଦେଶରେ ଜାତିଭିତ୍ତିକ ଜନଗଣନା କରିବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ଏବେ ଏହି ଦୀର୍ଘଦିନର ଦାବିକୁ ସବୁଜ ସଙ୍କେତ ଦେଇଛି। ସେପଟେ ଜାତି ଜନଗଣନାକୁ ନେଇ ତେଜିଲା ରାଜନୀତି। ବିଜେପିକୁ କଟାକ୍ଷ କଲେ କଂଗ୍ରେସ ପିସିସି ସଭାପତି ଭକ୍ତ ଚରଣ। ସେ କହିଛନ୍ତି ଯେ, ଦୀର୍ଘ ବର୍ଷ ଧରି ରାହୁଲ ଗାନ୍ଧୀ ଜାତି ଜନଗଣନା କରିବାକୁ ଦାବି କରିଆସୁଥିଲେ। ଲୋକସଭାରେ ସମ୍ବିଧାନକୁ ହାତରେ ଧରି ଯୁକ୍ତିଯୁକ୍ତ ତଥ୍ୟ ପ୍ରଦାନ କରିଥିଲେ। ଏହି ଜାତି ଜନଗଣନାର ଆବଶ୍ୟକତା କଣ ? କାହିଁକି ଏହାର ଆବଶ୍ୟକ ରହିଛି ? ସେ ବାବଦରେ ମଧ୍ୟ ରାହୁଲ ଗାନ୍ଧୀ ଗୃହରେ ସମ୍ପୂର୍ଣ୍ଣ ତଥ୍ୟ ଦେଇଥିଲେ।
ସେତେବେଳେ ବିଜେପି ନେତା ରାହୁଲ ଗାନ୍ଧୀଙ୍କ ଯୁକ୍ତିକୁ ତୁଚ୍ଛ ବୋଲି କହୁଥିଲେ କିନ୍ତୁ ଏବେ ସତ୍ୟର ବିଜୟ ହୋଇଛି। ପ୍ରଧାନମନ୍ତ୍ରୀ କେବଳ ୪ ଜାତି କଥା କହୁଥିଲେ। କିନ୍ତୁ ରାହୁଲ ଗାନ୍ଧୀଙ୍କ ଯେଉଁଭଳି ନଡରି ଜାତି ଜନଗଣନା କରିବାକୁ ଦାବି କରୁଥିଲେ। ଶେଷରେ ବାଧ୍ୟ ହୋଇ ଅନିଚ୍ଛା ସତ୍ତ୍ଵେ କେନ୍ଦ୍ର ସରକାର ଜାତି ଜନଗଣନା କାରିବାକୁ ଘୋଷଣା କରିଛନ୍ତି। ଆମେ ଏହାକୁ ସ୍ୱାଗତ କରୁଛୁ। କିନ୍ତୁ ଏହି ଘୋଷଣା କେବଳ ଘୋଷଣାରେ ନରହୁ।
ସେପଟେ କେନ୍ଦ୍ର ସରକାରଙ୍କ ଜାତି ଜନଗଣନା ଘୋଷଣାକୁ ରାହୁଲ ଗାନ୍ଧୀ ସ୍ୱାଗତ କରିଛନ୍ତି। ତେଲେଙ୍ଗାନାରେ କଂଗ୍ରେସ ବିଜୟ ପରେ ସେଠାରେ ଜାତି ଜନଗଣନାକୁ କାଯ୍ୟକାରୀ କରାଯାଇଥିଲା। ତେଲେଙ୍ଗାନା ମଡେଲକୁ କେନ୍ଦ୍ର ସରକାର ଅନୁଧ୍ୟାନ କରନ୍ତୁ ବୋଲି ରାହୁଲ ଗାନ୍ଧୀ ଅନୁରୋଧ କରିଛନ୍ତି। ଜାତି ଜନଗଣନାର କାର୍ଯ୍ୟଧାରା ରୂପରେଖ କ’ଣ ରହିବ ସେନେଇ କେନ୍ଦ୍ର ସରକାର ସ୍ପଷ୍ଟ ତଥ୍ୟ ଦେବାକୁ ମଧ୍ୟ ସେ ଦାବି କରିଛନ୍ତି।
ପ୍ରକାଶ ଥାଉକି, ଦୀର୍ଘ ୯୪ ବର୍ଷ ପରେ ଦେଶରେ ପ୍ରଥମ ଥର ପାଇଁ ଜାତିଗତ ଜନଗଣନା ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ରାଜନୈତିକ ବ୍ୟାପାର କ୍ୟାବିନେଟ କମିଟି (ସିସିପିଏ) ବୈଠକରେ ଏହି ଐତିହାସିକ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟ ଜନଗଣନା ସହ ଜାତିଗତ ଜନଗଣନା କରାଯିବ। ଜନଗଣନା ଫର୍ମରେ ଜାତି ପାଇଁ ଏକ ସ୍ତମ୍ଭ ରଖାଯାଇପାରେ।