ନୂଆଦିଲ୍ଲୀ: ବିଶ୍ୱ ଅର୍ଥନୀତିରେ ଅସ୍ଥିରତା ଥାଇ ମଧ୍ୟ ଭାରତ ଶକ୍ତିଶାଳୀ ଜିଡିପି ଅଙ୍କ ପ୍ରକାଶ କରିଛି। ଚଳିତ ବର୍ଷ ଶେଷ ସୁଦ୍ଧା ଭାରତ ବିଶ୍ୱର ଚତୁର୍ଥ ସର୍ବବୃହତ ଅର୍ଥନୀତି ହୋଇପାରେ। ଏନେଇ ଆଇଏମଏଫ ଏକ ସର୍ଭେ ରିପୋର୍ଟ ପ୍ରକାଶ କରିଛି। ଯଦି ଏହା ସତ୍ୟରେ ପରିଣତ ହୁଏ ତେବେ ଚଳିତବର୍ଷ ଶେଷ ସୁଦ୍ଧା ଭାରତର ଅର୍ଥନୀତି ୪ ଟ୍ରିଲିୟନ ଡଲାରରେ ପହଞ୍ଚିପାରେ। ଆଉ ଏହାକୁ ନେଇ ପୂର୍ବତନ ଆରବିଆଇ ଗଭର୍ଣ୍ଣର ତଥା ପ୍ରଖ୍ୟାତ ଅର୍ଥନୀତିଜ୍ଞ ରଘୁରାମ ରାଜନ ବଡ଼ ବୟାନ ଦେଇଛନ୍ତି।
ସେ କହିଛନ୍ତି, “ମୁଁ ବହୁ ଦିନ ଧରି ଜୋର ଦେଇ କହୁଛି- ଯଦି ଆମେ ୨୦୪୭ ସୁଦ୍ଧା ବିକଶିତ ଦେଶ ହେବାକୁ ଚାହୁଁ, ତେବେ ଆମକୁ ୮, ୮.୫ ରୁ ୯% ଅଭିବୃଦ୍ଧି ଆବଶ୍ୟକ। କାରଣ ଆମେ ଏବେ ବି ଏକ ତୁଳନାତ୍ମକ ଭାବେ ଦରିଦ୍ର ରାଷ୍ଟ୍ର।”
ରିପୋର୍ଟରେ ଆକଳନ କରାଯାଉଛି ୨୦୨୭ ସୁଦ୍ଧା ଭାରତ ଦ୍ରୁତ ଅଭିବୃଦ୍ଧି ହାର ହାସଲ କରିବ। ଏହାସହ ବିଶ୍ୱର ତୃତୀୟ ଅର୍ଥନୀତି ଜର୍ମାନୀକୁ ଟପିଯିବ। ସରକାରଙ୍କ ମେକ୍ ଇନ ଇଣ୍ଡିଆ ଯୋଜନାରେ ୨୦୪୭ ସୁଦ୍ଧା ବିକଶିତ ଭାରତର ପ୍ରତିଶୃତି ପୂରଣ ହୋଇପାରେ। ପ୍ରସିଦ୍ଧ ଅର୍ଥନୀତିଜ୍ଞ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଏକ କାର୍ଯ୍ୟକ୍ରମରେ କହିଛନ୍ତି , ଭାରତକୁ ବିକଶିତ ହେବାକୁ ହେଲେ ଅଭିବୃଦ୍ଧି ହାର ୮.୫ ରୁ ୯ ପ୍ରତିଶତ ହାରରେ ଆଗକୁ ବଢ଼ିବାକୁ ପଡିବ। କାରଣ ଦେଖିବାକୁ ଗଲେ ଭାରତ ତୁଳନାତ୍ମକ ଭାବେ ଗରିବ ଏବଂ ବିକାଶମୁଖୀ ଦେଶ।
ରାଜନ ସ୍ୱୀକାର କରିଛନ୍ତି ଯେ ଭାରତର ବର୍ତ୍ତମାନର ୬.୫% ଅଭିବୃଦ୍ଧି “ଏକ ଅତି ପ୍ରଶଂସନୀୟ ଅଭିବୃଦ୍ଧି ହାର। ଏହା ଭାରତର ମୁହୂର୍ତ୍ତ ହୋଇପାରେ, କିନ୍ତୁ ଆମକୁ ଏହାକୁ ଗ୍ରହଣ କରିବାକୁ ହେବ।” ଭାରତକୁ ଉଚ୍ଚତର ଅଭିବୃଦ୍ଧି ବଜାୟ ରଖିବା ପାଇଁ ନିର୍ଣ୍ଣାୟକ ଭାବେ କାର୍ଯ୍ୟ କରିବାକୁ ହେବ। ନିବେଶ ଅନାବରଣ କରି, ଉପଭୋଗ ଆଧାରକୁ ବିସ୍ତାର କରି ଏବଂ ଦେଶୀୟ ଓ ବିଦେଶୀ ବ୍ୟବସାୟୀମାନଙ୍କୁ ଭାରତୀୟ ଅର୍ଥନୀତି ଉପରେ ଦୀର୍ଘମିଆଦି ଦାଉ ଲଗାଇବାକୁ ଆତ୍ମବିଶ୍ୱାସ ଦେବା ଦରକାର ବୋଲି ରାଜନ କହିଛନ୍ତି।