ବ୍ରହ୍ମପୁରରେ ଦୁଇ ନାବାଳିକା ଗଣଦୁଷ୍କର୍ମ ମାମଲା, ଏସ୍ପିଙ୍କୁ ଭେଟିଲା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ପୋଲିସ ଥାନା ଅନ୍ତର୍ଗତ ଗତ ୩ ତାରିଖରେ ଘଟିଥିବା ଦୁଇ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ବିଜୁ ଜନତା ଦଳର ଫ୍ୟାକ୍ଟ ଫାଇଣ୍ଡିଂ ଟିମ ବ୍ରହ୍ମପୁର ଏସପିଙ୍କୁ ଭେଟି ଉଦବେଗ ପ୍ରକାଶ କରିବା ସହିତ ପୀଡ଼ିତାଙ୍କ ପରିବାରକୁ ତୁରନ୍ତ ନ୍ୟାୟ ପ୍ରଦାନ ଦାବି କରିଛି। ବ୍ରହ୍ମପୁର ଓ ସମଗ୍ର ରାଜ୍ୟରେ ଗଣ ଦୁଷ୍କର୍ମ, ହତ୍ୟା, ରାହାଜାନି ଇତ୍ୟାଦି ଉଦବେଗଜନକ ଭାବେ ବୃଦ୍ଧି ପାଉଛି, ଯାହା ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ଦର୍ଶାଉଛି ବୋଲି ଫ୍ୟାକ୍ଟ ଫାଇଣ୍ଡିଂ ଟିମର ସଦସ୍ୟମାନେ କହିଛନ୍ତି।

ଗତ ୩ ତାରିଖ ରାତିରେ ଦୁଇ ଜଣ ନାବାଳିକା ଗୋଟିଏ ବିବାହ ଭୋଜିରୁ ଫେରିବା ସମୟରେ ଜଣେ ଦୁବୃର୍ତ୍ତ, ଯିଏ କି ପୀଡ଼ିତାଙ୍କ ପୂର୍ବରୁ ପରିଚିତ ଥିଲେ, ତାଙ୍କ ସହ ଆସିବାକୁ କହିଥିଲେ। ସେ ଓ ତାଙ୍କ ସହ ଆଉ ତିନି ଜଣ ଯୁବକ ଦୁଇ ନାବାଳିକାଙ୍କୁ ଏକ ନିକାଞ୍ଚନ ଜାଗାକୁ ନେଇଯାଇ ଦୁଷ୍କର୍ମ କରିଥିଲେ। ସକାଳେ ଦୁଇ ନାବାଳିକା ସେମାନଙ୍କ ଘରେ ପହଁଞ୍ଚିବା ପରେ ତାଙ୍କ ପରିବାର ଲୋକ ଏହି ଘଟଣା ସମ୍ପର୍କରେ ଜାଣିଥିଲେ ଓ ତାପରେ ଗୋଳନ୍ଥରା ଥାନାରେ ଏତଲା ଦେଇଥିଲେ। ପୋଲିସ ମାମଲା ରୁଜୁ କରିଥିଲେ ହେଁ ଦୁର୍ବୃତ୍ତମାନେ ଟେର ପାଇନଥିଲା।

ଏହି ସମ୍ୱେଦନଶୀଳ ଘଟଣାର ଗୁରୁତ୍ୱ ଉପଲବ୍ଧ କରି ବିଜୁ ଜନତା ଦଳ ତରଫରୁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗଠନ କରାଯାଇଥିଲା। ଆଜି ଫ୍ୟାକ୍ଟ ଫାଇଣ୍ଡିଂ ଟିମର ସଦସ୍ୟମାନେ ବ୍ରହ୍ମପୁର ଏସପିଙ୍କୁ ଭେଟି ଉଦବେଗ ପ୍ରକାଶ କରିଥିଲେ। ବିଜେଡି ତରଫରୁ ଏସପିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଯେଉଁଥିରେ ପୀଡ଼ିତାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ସହିତ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଆଇନ ଶୃଙ୍ଖଳା ସ୍ଥିତିକୁ ସୁଧାରିବା ପାଇଁ ଦାବି ରଖାଯାଇଥିଲା।
Leave A Reply

Your email address will not be published.