ସରକାରଙ୍କ ଦ୍ଵିତୀୟ ବର୍ଷର ଉନ୍ନୟନ କାମର ଶୁଭାରମ୍ଭ କେନ୍ଦ୍ରାପଡ଼ାରୁ ହେବ: ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡା:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରି ଜିଲ୍ଲା ପ୍ରଦକ୍ଷଣ ଗୃହ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନର ସମସ୍ତ ଉନ୍ନତିମୂଳକ କାର୍ଯ୍ୟ ଏବଂ ଜିଲ୍ଲାର ପ୍ରଶାସନର କାର୍ଯ୍ୟ ବିଷୟରେ ସମୀକ୍ଷା କରିଛନ୍ତି । ଏଥିସହ ଘୋଷଣା କରିଛନ୍ତିଯେ, ରାଜ୍ୟ ସରକାରଙ୍କ ଦ୍ଵିତୀୟ ବର୍ଷର ଆରମ୍ଭ କେନ୍ଦ୍ରାପଡ଼ା ଜିଲ୍ଲାରେ ବିକାଶମୂଳକ କାର୍ଯ୍ୟ ଆରମ୍ଭରୁ ହିଁ ହେବ।

ସମୀକ୍ଷାରୁ ଜଣା ଯାଇଛି ଯେ, କେନ୍ଦ୍ରାପଡ଼ା ଜିଲ୍ଲାରେ ଜଳ ସମ୍ପଦର ବିକାଶ ହେବା ପାଇଁ ଏବଂ ଏହି ଜିଲାରେ ଶିଳ୍ପର ବିକାଶ ପାଇଁ ଖୁବ ଶୀଘ୍ର ପଦକ୍ଷେପ ନିଆଯିବ। କେନ୍ଦ୍ରାପଡ଼ା ଅଂଚଳରେ ଥିବା ହେନ୍ତାଳ ଜଙ୍ଗଲକୁ ଆହୁରି ବ୍ୟାପକ କରିବା ପାଇଁ ଏବଂ ଭିତରକନିକା ଓ ଗହୀରମଥା ଅଂଚଳରେ ଇକୋ ଟୁରିଜିମକୁ ଆହୁରି ତ୍ୱରାନ୍ୱିତ କରାଯିବ। ଖୁବ୍ ଶୀଘ୍ର ବିଭିନ୍ନ ନୂତନ ପ୍ରକଳ୍ପ ଗୁଡ଼ିକ ଏହି ଜିଲ୍ଲାରେ ଉଦ୍‍ଘାଟନ ହେବା ପାଇଁ ଯାଉଛି ଏବଂ କେନ୍ଦ୍ରାପଡ଼ା ଠାରେ ମେଡିକାଲ କଲେଜ ସ୍ଥାପନ ଓ ମହାପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପରିକ୍ରମା ପ୍ରକଳ୍ପ ବିଷୟରେ ବିଧାୟକଗଣ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା ହୋଇଛି ବୋଲି ବୈଠକରୁ ଜଣାଯାଇଛି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ରାପଡ଼ା ଜିଲ୍ଲାରେ ଅନେକ ବିକାଶମୂଳକ ପ୍ରକଳ୍ପ ଯଥା କେନାଲ, ରାସ୍ତା ନିର୍ମାଣ, ପାନୀୟ ଜଳ ଯୋଗାଣ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ନିର୍ମାଣରେ ଉଲ୍ଲେଖନୀୟ ପ୍ରଗତି ହୋଇଛି। ଏହା ସହିତ ଜନ ଶୁଣାଣି, ଭତ୍ତା ବଣ୍ଟନ, ବରିଷ୍ଠ ଅଧିକାରୀ ଓ ମାନ୍ୟବର ମନ୍ତ୍ରୀଙ୍କ ପରିଦର୍ଶନ, ମଧ୍ୟାହ୍ନ ଭୋଜନ ଯୋଜନା, ମୁଖ୍ୟମନ୍ତ୍ରୀ ଅନ୍ତ୍ୟୋଦୟ ଯୋଜନା, ମିଶନ ଶକ୍ତି ଇତ୍ୟାଦି ରେ ଉଲ୍ଲେଖନୀୟ ସଫଳତା ପାଇଁ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ମୁଁ ଅଭିନନ୍ଦନ ଜଣାଉଛି। ଏହି କାର୍ଯ୍ୟଗୁଡ଼ିକ ଜନସାଧାରଣଙ୍କ ଜୀବନଧାରାକୁ ଉନ୍ନତ କରୁଛି।

ସୁଭଦ୍ରା ଯୋଜନାରେ ଓ ଲକ୍ଷପତି ଦିଦି ଯୋଜନାରେ କେନ୍ଦ୍ରାପଡ଼ା ଜିଲ୍ଲା ଓଡ଼ିଶାରେ ଦ୍ଵିତୀୟ ସ୍ଥାନରେ ରହି ବିଶେଷ ଅଗ୍ରଗତି କରୁଥିବାରୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ସାଧୁବାଦ ଦେଇଛନ୍ତି।

ସ୍ଥାନରେ ପାନୀୟଜଳର ଅସୁବିଧା ହେଉଛି ସେଠାରେ ଅଧିକାରୀ ମାନେ ଯଥାଶୀଘ୍ର ପଦକ୍ଷେପ ନେଇ କାର୍ଯ୍ୟ ସମାପ୍ତ କରନ୍ତୁ। ସ୍ୱାସ୍ଥ୍ୟ ସେବାରେ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ସମୀକ୍ଷା ବୈଠକ ପୂର୍ବରୁ ମୁଖ୍ୟମନ୍ତ୍ରୀ ମାଉସୀ ମାଆ ମନ୍ଦିର ଠାରୁ ଶ୍ରୀ ବଳଦେବଜୀଉ ମନ୍ଦିର ପର୍ଯ୍ୟନ୍ତ ଏକ ତ୍ରିରଙ୍ଗା ଶୋଭାଯାତ୍ରାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରତ୍ୟେକ ମାଆ ଓ ଭଉଣୀ ମାନଙ୍କର ସିନ୍ଦୁରର ସୁରକ୍ଷା ପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ନେଇଥିବା ପ୍ରତିଜ୍ଞା ଆଜି ସାରା ବିଶ୍ୱରେ ଗୁଞ୍ଜରିତ ହେଉଛି। ଏହାପରେ ମୁଖ୍ୟମନ୍ତ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ପରେ ଜିଲ୍ଲା କୃଷି ରଥ ଓ ରାଜସ୍ବ ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ଉକ୍ତ ସମୀକ୍ଷା ବୈଠକରେ ଆଳି ,କେନ୍ଦ୍ରାପଡ଼ା ,ମହାକାଳପଡ଼ା,ରାଜନଗର,ପାଟକୁରା ବିଧାୟକ , ଜିଲ୍ଲାପରିଷଦ ସଭାପତିଙ୍କ ସମେତ ଜିଲ୍ଲାପାଳ ଶ୍ରୀ ସ୍ମୃତିରଞ୍ଜନ ପ୍ରଧାନ, ଆରକ୍ଷୀ ଅଧିକ୍ଷକ ଶ୍ରୀ ସିଦ୍ଧାର୍ଥ କଟାରିଆ ଓ ଜିଲ୍ଲାର ସମସ୍ତ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.