ନୂଆଦିଲ୍ଲୀ: ଡିଜିଟାଲ ଯୁଗରେ ସାଇବର ଠକେଇ ଏକ ନୂଆ ରୂପ ନେଉଛି। ଯେଉଁମାନେ ଅଶ୍ଳୀଳ ଭିଡିଓ, ବିଶେଷ କରି ଶିଶୁମାନଙ୍କ ସମ୍ପର୍କିତ କଣ୍ଟେଣ୍ଟ ଦେଖିବାକୁ ଆଗ୍ରହୀ, ସେମାନେ ବର୍ତ୍ତମାନ ସାଇବର ଗ୍ୟାଙ୍ଗର ଟାର୍ଗେଟ ହେଉଛନ୍ତି। ଏହି ଗ୍ୟାଙ୍ଗମାନେ ଅତି ଚତୁରତାର ସହ ଏବଂ ଏପରି ଭାବେ ଶିକାରର ଶୋଷଣ କରୁଛନ୍ତି ଯେ ସେମାନେ ମାନସିକ ଭାବେ ଭୟଭୀତ ହେଉଛନ୍ତି। ଆଧୁନିକ ଡିଜିଟାଲ ଯୁଗରେ ସାଇବର ଠକେଇର ପଦ୍ଧତି ବଦଳୁଛି। ଏକ ନୂଆ ଠକେଇ ପଦ୍ଧତି ସାମ୍ନାକୁ ଆସିଛି, ଯେଉଁଥିରେ ଲୋକଙ୍କୁ ମିଛ ଅଭିଯୋଗରେ ଭୟ ଦେଖାଇ ଠକାଯାଉଛି, ଯେପରି ଆପଣ ଶିଶୁ ଅଶ୍ଳୀଳ ଭିଡିଓ ଦେଖୁଛନ୍ତି, କିମ୍ବା ଡ୍ରଗ୍ସ ଓ ମନି ଲଣ୍ଡରିଂ ମାମଲାରେ ଜଡ଼ିତ। ହାଇଦ୍ରାବାଦରେ ଏପରି ଘଟଣା ବୃଦ୍ଧି ପାଇଛି।
ସହରର ଜଣେ ଅବସର ସରକାରୀ କର୍ମଚାରୀଙ୍କ ସହ ମଧ୍ୟ ଏପରି ଘଟଣା ଘଟିଥିଲା । ତାଙ୍କୁ ଫୋନ କରି ଠକମାନେ କହିଥିଲେ ଯେ, “ଆପଣ ଡ୍ରଗ୍ ମାମଲା ଓ ମନି ଲଣ୍ଡରିଂରେ ଜଡି଼ତ, ଆମକୁ ଆପଣଙ୍କ ଆଧାର ନମ୍ୱର ଦରକାରେ।” ଭୟରେ ସେ ଆଧାର ନମ୍ୱର ଦେଇଥିଲେ। ପରେ ତାଙ୍କୁ ଧମକାଇ କୁହାଗଲା ଯେ ତାଙ୍କ’ ପାଖରେ ପ୍ରମାଣ ଅଛି ଯେ ସେ ଅଶ୍ଳୀଳ ଭିଡିଓ ଦେଖୁଥିଲେ ଏବଂ ୧.୫ ଲକ୍ଷ ଟଙ୍କା ସେମାନେ ମାଗିଥିଲେ। ପରେ ସେ ପୁଲିସଙ୍କୁ ସମ୍ପର୍କ କରିବାରୁ ଜାଣିବାକୁ ପାଇଥିଲେ ଯେ ଏହା ଏକ ଠକ ଗ୍ୟାଙ୍ଗ ଦ୍ୱାରା କରାଯାଉଥିଲା ।