ବାଲେଶ୍ବର: ପଡ଼ୋଶୀ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଶନିବାର ଦିନ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧିପାଇଛି। ଯାହା ଫଳରେ ବାଲେଶ୍ବର ଜିଲ୍ଲାର ଅନେକ ଗାଁ ଜଳମଗ୍ନ ହେବା ସହ ୫୦,୦୦୦ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।
ସୂଚନା ଅନୁଯାୟୀ, ଭୋଗରାଇ, ବାଲିଆପାଳ, ବସ୍ତା ତିନୋଟି ବ୍ଲକ୍ ଏବଂ ଜଳେଶ୍ୱର ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି)ର ପ୍ରାୟ ୧୭ଟି ଗ୍ରାମ ପଞ୍ଚାୟତ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଜିଲ୍ଲା ପ୍ରଶାସନ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ହୋଇଛି।
ଆବଶ୍ୟକ ହେଲେ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ପ୍ରସ୍ତୁତ ରହିବାକୁ ବ୍ଲକ ଉନ୍ନୟନ ଅଧିକାରୀ (ବିଡ଼ିଓ) ଏବଂ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ। ଏପଟେ “ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି, ଜିଲ୍ଲା ପ୍ରଶାସନ ସରକାରୀ କର୍ମଚାରୀମାନଙ୍କୁ ମଞ୍ଜୁର କରାଯାଇଥିବା ସମସ୍ତ ଛୁଟି ବାତିଲ କରିଛନ୍ତି। ସେହିପରି ଛୁଟିରେ ଥିବା ସମସ୍ତ ସରକାରୀ ଅଧିକାରୀଙ୍କୁ ତୁରନ୍ତ ଡ୍ୟୁଟିରେ ଯୋଗଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।