ଭୁବନେଶ୍ୱର: ଭାରତକୁ ନେଇ ଆମେରିକାର ଟ୍ରାଭେଲ ଆଡଭାଇଜରି ପରେ କଡ଼ା ଜବାବ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।
ଅପରାଧ ଏବଂ ଆତଙ୍କବାଦର ବିପଦକୁ ଉଲ୍ଲେଖ କରି ଭାରତରେ ଅଧିକ ସତର୍କତା ଅବଲମ୍ବନ କରିବାକୁ ରବିବାର ଆମେରିକା ଏହାର ନାଗରିକମାନଙ୍କୁ ପରାମର୍ଶ ଦେଇଥିଲା। ଆମେରିକାର ବୈଦେଶିକ ମନ୍ତ୍ରାଳୟ ଜମ୍ମୁ-କଶ୍ମୀର, ଭାରତ-ପାକିସ୍ତାନ ସୀମା ଏବଂ ମଧ୍ୟ ଏବଂ ପୂର୍ବ ଭାରତ ବ୍ୟତୀତ ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ, ମେଘାଳୟ, ଓଡ଼ିଶାକୁ ବିପଦପୂର୍ଣ୍ଣ ଅଞ୍ଚଳ ଭାବରେ ଦର୍ଶାଇଥିଲା।
ଯାହାପରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି, ଆମେରିକାରେ ଦଙ୍ଗା ଏବଂ ବାରମ୍ବାର ଗୁଳିମାଡ ଭଳି ଘଟଣା ଘଟୁଛି। “ଆମେରିକାରେ କ’ଣ ଅଶାନ୍ତି ନାହିଁ? ବିକ୍ଷୋଭ ବାରମ୍ବାର ଘଟେ। ବନ୍ଧୁକ ହିଂସା ନିୟମିତ ଭାବରେ ଘଟେ। କ’ଣ ଟ୍ରମ୍ପଙ୍କ ଉପରେ ଆକ୍ରମଣ ହୋଇନଥିଲା? କ’ଣ ହ୍ୱାଇଟ୍ ହାଉସ୍ ଉପରେ ଆକ୍ରମଣ ହୋଇନଥିଲା?”
ଉଲ୍ଲେଖଯୋଗ୍ୟ, ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ଭାରତ ଯାତ୍ରା କରୁଥିବା ତାର ନାଗରିକମାନଙ୍କ ପାଇଁ ଏକ ଲେବଲ-୨ ଯାତ୍ରା ସତର୍କତା ଜାରି କରିଛି । ଏଥିରେ ଭାରତରେ ଅପରାଧ ଏବଂ ଆତଙ୍କବାଦ ହେତୁ ଆମେରିକୀୟ ନାଗରିକମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ଜାରି ଏହି ଆଡଭାଇଜରି କୁହାଯାଇଛି ଯେ, ଭାରତରେ “ଅପରାଧ, ଦୁଷ୍କର୍ମ ଏବଂ ଆତଙ୍କବାଦ” ରହିଛି। କେତେକ ଅଞ୍ଚଳରେ ବିପଦ ଅଧିକ ରହିଛି । ଆତଙ୍କବାଦୀମାନେ କୌଣସି ପୂର୍ବ ସୂଚନା ବିନା ଆକ୍ରମଣ କରୁଛନ୍ତି । ସେମାନେ ପର୍ଯ୍ୟଟନ ସ୍ଥାନ, ପରିବହନ କେନ୍ଦ୍ର, ବଜାର, ସପିଂ ମଲ୍, ସରକାରୀ ପ୍ରତିଷ୍ଠାନକୁ ଟାର୍ଗେଟ କରିଥାନ୍ତି।