ନୂଆଦିଲ୍ଲୀ: ପୁଣି ସିନ୍ଧୁ ଜଳ ନେଇ ଭାରତକୁ ଧମକାଇଲା ପାକିସ୍ତାନ । ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ-ଜରଦାରୀ ପୁଣି ଥରେ ଭାରତକୁ ଧମକ ଦେଇଛନ୍ତି । କହିଛନ୍ତି ଯେ ଯଦି ଭାରତ ସିନ୍ଧୁ ଜଳ ଚୁକ୍ତିନାମା ଅନୁଯାୟୀ ଇସଲାମାବାଦକୁ ତାର ନ୍ୟାଯ୍ୟ ଅଂଶ ପାଣି ଦେବାକୁ ମନା କରେ, ତେବେ ତାଙ୍କ ଦେଶ ଯୁଦ୍ଧ କରିବ ।
୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ୧୯୬୦ ଚୁକ୍ତିନାମାକୁ ସ୍ଥଗିତ ରଖିଥିଲା, ଯେଉଁଥିରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଆଉ ଏହାକୁ ନେଇ ପାକିସ୍ତାନ ବାରମ୍ବାର ପୁନରୁଦ୍ଧାର ପାଇଁ ଦାବି କରିଥିବା ବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗତ ସପ୍ତାହରେ ଘୋଷଣା କରିଥିଲେ ଯେ ଏହି ଐତିହାସିକ ଚୁକ୍ତିନାମା କେବେବି ପୁନରୁଦ୍ଧାର ହେବ ନାହିଁ। ଯେଉଁ ପାଣି ପାକିସ୍ତାନକୁ ଯାଉଥିଲା ଭାରତର ଲୋକଙ୍କ ଉଦ୍ଦେଶ୍ୟରେ ବ୍ୟବହାର ହେବ ବୋଲି ଘୋଷଣା କରିଥିଲେ ଗୃହମନ୍ତ୍ରୀ ଶାହ । ଯାହାକୁ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ସମାଲୋଚନା କରିଥିଲା। ଆଉ ଶାହଙ୍କ ଘୋଷଣାର ଦୁଇ ଦିନ ପରେ ସୋମବାର ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀ ଏନେଇ ଭାରତକୁ ଯୁଦ୍ଧ ଧମକ ଦେଇଛନ୍ତି ।
କହିଛନ୍ତି ଯେ ଯଦି ଭାରତ ସିନ୍ଧୁ ଜଳ ଚୁକ୍ତି ଅନୁଯାୟୀ ଇସଲାମାବାଦକୁ ତାର ନ୍ୟାର୍ଯ୍ୟ ପାଣି ଦେବାକୁ ମନା କରେ, ତେବେ ତାଙ୍କ ଦେଶ ଯୁଦ୍ଧ କରିବ। ବିଲାୱାଲ ସଂସଦରେ ଏକ ଭାଷଣରେ ଚୁକ୍ତିନାମାକୁ ସ୍ଥଗିତ ରଖିବାର ଭାରତର ନିଷ୍ପତ୍ତିକୁ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ପାକିସ୍ତାନର ଜଳ ଅଂଶ ନେବାକୁ ଧମକ ଦେଇଥିଲେ। ସିନ୍ଧୁ ଉପତ୍ୟକାର ଛଅଟି ନଦୀକୁ ଉଲ୍ଲେଖ କରି ସେ କହିଛନ୍ତି, ଭାରତ ପାଖରେ ଦୁଇଟି ବିକଳ୍ପ ଅଛି – ହୁଏତ ସେ ସମାନ ଭାବରେ ପାଣି ବାଣ୍ଟି୍ଥାଏ ନଚେତ୍ ସମସ୍ତ ଛଅଟି ନଦୀରୁ ପାଣିଏ ପାଏ ।
ପୂର୍ବତନ ବୈଦେଶିକ ମନ୍ତ୍ରୀ ଆଲୋଚନା ଏବଂ ସହଯୋଗର ଗୁରୁତ୍ୱ ଉପରେ ମଧ୍ୟ ଆଲୋକପାତ କରିଥିଲେ, ବିଶେଷକରି ଆତଙ୍କବାଦ ବିରୋଧୀ ପ୍ରୟାସ। ସେ କହିଥିଲେ – ‘ଯଦି ଭାରତ ଏବଂ ପାକିସ୍ତାନ କଥାବାର୍ତ୍ତା କରିବାକୁ ମନା କରନ୍ତି ଏବଂ ଆତଙ୍କବାଦ ପ୍ରସଙ୍ଗରେ କୌଣସି ସମନ୍ୱୟ ନାହିଁ, ତେବେ ଉଭୟ ଦେଶରେ ହିଂସା ବୃଦ୍ଧି ପାଇବ।’
ଖାଲି ସେତିକି ନୁହେଁ ବିଲାୱାଲ ରାଜନୈତିକ ଉଦ୍ଦେଶ୍ୟ ପାଇଁ ଭାରତ ଆତଙ୍କବାଦକୁ ଅସ୍ତ୍ର କରୁଥିବା ଅଭିଯୋଗ ମଧ୍ୟ କରିଛନ୍ତି। ବିଲାୱାଲ ଏହା ମଧ୍ୟ କହିଛନ୍ତି ଯେ ପାକିସ୍ତାନ ବିଶ୍ୱ ମଞ୍ଚରେ କାଶ୍ମୀର ପ୍ରସଙ୍ଗ ଉଠାଇବାରେ ସଫଳ ହୋଇଛି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାଶ୍ମୀର ଉପରେ ମଧ୍ୟସ୍ଥତା ସପକ୍ଷରେ କହିଛନ୍ତି।