ଭୁବନେଶ୍ବର: ପରଲୋକରେ ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତି । ମୁଣ୍ଡରେ ଆଘାତ ଲାଗିବା କାରଣରୁ ହଠାତ୍ ଆଜି ଆକସ୍ମିକ ଭାବେ ତାଙ୍କର ପରଲୋକ ଘଟିଛି । ସେ ପ୍ରଥମେ ଓଡ଼ିଆ ସିନେମା ‘ସମର ସଲିମ୍ ସାଇମନ୍’ରେ ଅଭିନୟ କରିଥିଲେ । ଏହି ସିନେମାର ଗୀତ ପାଇଁ ବେଶ ଚର୍ଚ୍ଚାରେ ରହିଥିଲା ସିନେମା ଟି ।
ଏହା ପରେ ୧୯୯୪ ମସିହାରେ ପ୍ରଖ୍ୟାତ ପ୍ରଯୋଜକ ବସନ୍ତ ନାୟକଙ୍କ ପ୍ରଯୋଜିତ ତଥା ପ୍ରସିଦ୍ଧ ନିର୍ଦ୍ଦେଶକ ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶିତ ‘ଲକ୍ଷେ ଶିବ ପୂଜି ପାଇଚି ପୁଅ’ ସିନେମାରେ ଅଭିନୟ କରି ଅଭିନେତା, ନିର୍ମାତା ତଥା ନିର୍ଦ୍ଦେଶକ ନାରାୟଣ ପତି ବେଶ ପ୍ରଂଶସା ସାଉଁଟି ଚର୍ଚ୍ଚାକୁ ଆସିଥିଲେ ।
ଆଗକୁ ବ୍ୟାସକବି ଫକୀରମୋହନ ସେନାପତିଙ୍କ କାଳଜୟୀ ସାହିତ୍ୟକୃତି ‘ଡାକମୁନସୀ’ ଉପରେ ଏକ ଓଡ଼ିଆ ସିନେମା ନିର୍ମାଣ କରିବାକୁ ସେ ଯୋଜନା କରିଥିଲେ । ଏନେଇ ସିନେମାର କଳାକାର ଚୟନ ଚାଲିଥିବା ବେଳେ ନାରାୟଣ ପତିଙ୍କର ପରଲୋକ ଘଟିଛି । ତାଙ୍କ ବିୟୋଗରେ ସମଗ୍ର ଓଡିଆ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପାର୍ଥିବ ଶରୀରର ଶେଷ ଦର୍ଶନ କରିବାକୁ ତାଙ୍କ ବାସଭବନରେ ବହୁ ସିନେ ତାରକାଙ୍କ ଭିଡ ଲାଗିଛି ।